ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଘାଇ ସହଯୋଗ ସଂଗଠନ(ଏସସିଓ) ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଛନ୍ତି । ଭର୍ଚ୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଋଷ ଓ ଚୀନ ସମେତ ଏସସିଓ ସଦସ୍ୟ ଦେଶ ସାମିଲ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବର୍ତ୍ତମାନ ସମୟରେ ବିଶ୍ୱ ବିବାଦ, ଚିନ୍ତା ଓ ମହାମାରୀ ଦେଇ ଗତି କରୁଛି । ସେଥିପାଇଁ ଆମେ ସମସ୍ତେ ମିଶିକି କାମ କରିବା ଉଚିତ ବୋଲି ମୋଦୀ କହିଛନ୍ତି । ଏହି ଅବସରରେ ମୋଦୀ ଏସସିଓରେ ସୁଧାର ପ୍ରସ୍ତାବକୁ ମୋଦୀ ସମର୍ଥନ କରିଛନ୍ତି । ଏଥିସହିତ ମୋଦୀ ନାଁ ନନେଇ ପାକିସ୍ତାନକୁ ମଧ୍ୟ ଟାର୍ଗେଟ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆତଙ୍କବାଦ କ୍ଷେତ୍ରୀୟ ଓ ବୈଶ୍ୱିକ ଶାନ୍ତି ଉପରେ ପ୍ରଭାବ ପକାଉଛି । ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଆତଙ୍କବାଦ ଯେକୌଣସି ରୂପେ ହେଲେ ମଧ୍ୟ ଆମକୁ ମିଶିକି ଲଢ଼ିବାକୁ ହେବ । କିଛି ଦେଶ କ୍ରସ-ବୋର୍ଡର ଆତଙ୍କବାଦକୁ ନିଜ ନୀତିର ମାଧ୍ୟମ ରୂପେ ବ୍ୟବହାର କରୁଛନ୍ତି । ଏମିତି ଦେଶ ବିରୋଧରେ ଆଲୋଚନା କରିବା ପାଇଁ ଏସସିଓ ଦେଶ ଆଦୌ କୁଣ୍ଠାବୋଧ କରିବା ଉଚିତ ନୁହେଁ ।
ଆଫଗାନିସ୍ତାନକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମସ୍ତ ଏସସିଓ ଦେଶ ଆଫଗାନିସ୍ତାନକୁ ସାଥୀରେ ରଖି କାମ କରିବା ଉଚିତ । ଆଫଗାନିସ୍ତାନ ସ୍ଥିତିର ସିଧାସଳଖ ପ୍ରଭାବ ଆମ ସବୁ ଦେଶର ସୁରକ୍ଷା ଉପରେ ପଡ଼ିବ । ଏସସିଓର ଅଧିକାଂଶ ସଦସ୍ୟ ଦେଶ ଭଳି ଭାରତ ମଧ୍ୟ ଆଫଗାନିସ୍ତାନକୁ ନେଇ ଚିନ୍ତା ଓ ଆକାଂକ୍ଷା କରୁଛି । ଅଫଗାନିସ୍ତାନ ଲୋକଙ୍କ କଲ୍ୟାଣ ପାଇଁ ଏକଜୁଟ ହୋଇ ପ୍ରୟାସ କରିବା ଦରକାର ।