ଅଯୋଦ୍ଧା: ରାମ ସମସ୍ତଙ୍କର, ସମସ୍ତଙ୍କ ଭିତରେ ରାମ ଅଛନ୍ତି। ଅଯୋଦ୍ଧାରେ ଭୂମିପୂଜନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩୫ କୋଟି ଭାରତୀୟଙ୍କୁ ସମ୍ବୋଧିତ କରିବାକୁ ଯାଇ ଏପରି କହିଛନ୍ତି। ମୋଦୀ କହିଛନ୍ତି କି, ‘ଶ୍ରୀରାମଙ୍କ ନାମ ପରି ଅଯୋଦ୍ଧାରେ ନିର୍ମାଣ ହେବାକୁ ଯାଉଥିବା ଭବ୍ୟ ରାମ ମନ୍ଦିର ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିବ। ଅନନ୍ତ କାଳ ପର୍ଯ୍ୟନ୍ତ ମାନବତାକୁ ପ୍ରେରଣା ଯୋଗାଇବ। ଆଜି ଏଠାକାର ଜୟ ଶ୍ରୀ ରାମ ଧ୍ୱନି ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି। ରାମ ମନ୍ଦିରର ବାର୍ତ୍ତା ଓ ଆମ ହଜାରେ ବର୍ଷର ପରମ୍ପରା କିପରି ସମଗ୍ର ବିଶ୍ୱରେ ପହଂଚିବ ଆମକୁ ତାହା ସୁନିଶ୍ଚିତ କରିବାକୁ ପଡ଼ିବ। ଆମ ଜ୍ଞାନ ସମ୍ବନ୍ଧରେ ବିଶ୍ୱ କିପରି ପରିଚିତ ହେବ ତାହା ବର୍ତ୍ତମାନ ଓ ଆଗାମୀ ପୀଢ଼ୀର ଦାୟିତ୍ୱ।’
ଜୟ ସିୟା ରାମରୁ ବକ୍ତବ୍ୟ ଆରମ୍ଭ କରିଥିବା ମୋଦିଜୀ ଆହୁରି କହିଛନ୍ତି କି, ‘ଭାରତ ଆଜି ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ଆଜି ସମଗ୍ର ଭାରତ ରାମମୟ ହୋଇଯାଇଛି। ଭାଙ୍ଗିବା ଓ ପୁଣି ଉଠି ଛିଡ଼ାହେବା ବ୍ୟତିକ୍ରମରୁ ରାମ ଜନ୍ମଭୂମି ମୁକ୍ତ ହୋଇଛି। ରାମ ମନ୍ଦିର ପାଇଁ ପୀଢ଼ୀ ପରେ ପୀଢ଼ୀ ଏକ ନିଷ୍ଠ ପ୍ରୟାସ କରିଛନ୍ତି। ଅନେକ ତ୍ୟାଗ, ବଳିଦାନ, ତପସ୍ୟା ଯୋଗୁ ଆଜି ରାମ ମନ୍ଦିର ନିର୍ମାଣର ସ୍ୱପ୍ନ ସାକାର ହୋଇଛି।’