‘ପରାକ୍ରମ ଦିବସ’ ପାଇଁ କୋଲକାତା ପହଂଚିଲେ ମୋଦୀ

ନୂଆଦିଲ୍ଲୀ: ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ‘ପରାକ୍ରମ ଦିବସ’ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କୋଲକାତା ଗସ୍ତ କରିଛନ୍ତି। ଏହି ଅବସରରେ ସେ ନେତାଜୀ ଭବନ ଓ କୋଲକାତା ଲାଇବ୍ରେରୀ ପରିଦର୍ଶନ କରିଛନ୍ତି। ସେଠାରେ ସେ ଅନେକ କଳାକାର ଓ ପ୍ରତିନିଧୀ ସହ ଆଲୋଚନା କରିବା ସହ ଗ୍ରୁପ ଫଟୋ ମଧ୍ୟ ଉଠାଇଛନ୍ତି। ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିଛନ୍ତି। ଏଥିସହିତ ଭିକ୍ଟୋରିୟା ମେମୋରିଆଲରେ ଆୟୋଜିତ ‘ପରାକ୍ରମ ଦିବସ’ ସମାରୋହକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ ପ୍ରଫେସର ଡା.ଅନିତା ବୋଷ କହିଛନ୍ତି ଯେ, ‘୧୨୪ ବର୍ଷ ପୂର୍ବରୁ ଭାରତର ପ୍ରସିଦ୍ଧ ପୁଅ, ମୋ ପିତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ କଟକରେ ହୋଇଥିଲା। ଭାରତର କେନ୍ଦ୍ର ଓ ରାଜ୍ୟ ସରକାର ଜନ୍ମର ୧୨୫ ବର୍ଷ ପରେ ତାଙ୍କୁ ସମ୍ମାନିତ କରିବାକୁ ପଦକ୍ଷେପ ନେଇଛନ୍ତି। ଏହି ପଦକ୍ଷେପ ଲାଗି ଆପଣଙ୍କୁ ଧନ୍ୟବାଦ।’