୧୧ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ୧୧ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବା ପାଇଁ ମଙ୍ଗଳବାର ଠାରୁ ବ୍ରାଜିଲ ଗସ୍ତରେ ଯାଇଛନ୍ତି। ବୁଧବାର ଏବଂ ଗୁରୁବାର ଦୁଇ ଦିନ ଧରି ବ୍ରାଜିଲର ରାଜଧାନୀ ବ୍ରାସିଲିୟାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦୀ ସମ୍ମିଳନୀରେ ଭାଗ ନେଇ ଆତଙ୍କବାଦ ବିରୋଧରେ ସହଯୋଗ ବୃଦ୍ଧି ଉପରେ ଫୋକସ କରିବେ ବୋଲି ଜଣାପଡ଼ିଛି।

ଏଥିସହିତ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବ୍ରିକ୍ସ ଶିଖର ସମ୍ମିଳନୀରେ ବିଶ୍ଵର ୫ଟି ବଡ଼ ଦେଶ ମଧ୍ୟରେ ଡିଜିଟାଲ ଅର୍ଥବ୍ୟବସ୍ଥା, ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ଵ ଦିଆଯିବ। ଏଥି ସହିତ ଆତଙ୍କବାଦ ବିରୋଧରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି କରିବା ଲାଗି ଆଲୋଚନା ହେବ। ମୁଁ ଅନ୍ୟ ବ୍ରିକ୍ସ ନେତାମାନଙ୍କ ସହିତ ଅନେକ ବିଷୟ ଉପରେ ବ୍ୟାପକ ସହଯୋଗ ସମ୍ପର୍କରେ ଆଲୋଚନା କରିବା ନେଇ ଆଶାବାଦୀ ରହିଛି। ଆମ ବାଣିଜ୍ୟ ଏବଂ ଉଦ୍ୟୋଗ ଜଗତ ବ୍ରିକ୍ସ ଦେଶ ସମୁହ ମଧ୍ୟରେ ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ସେ କହିଛନ୍ତି।

ତେବେ ଏହି ସମ୍ମିଳନୀ ବ୍ରାଜିଲ, ରୁଷିଆ, ଇଣ୍ଡିଆ, ଚୀନ ଓ ସାଉଥ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ। ତେବେ ଏହି ସମ୍ମିଳନୀ ବ୍ରାଜିଲିଆନ ପ୍ରେସିଡେନ୍ସିରେ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ଏକ ନୂତନ ଭବିଷ୍ୟତ ପାଇଁ ଅର୍ଥ କ୍ଷେତ୍ରରେ ବିକାଶ କରିବା ଏହାର ଟ୍ୟାଗ ଲାଇନ ରହିଛି। ସେହିପରି ଏହା ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ଥର ବ୍ରାଜିଲ ଗସ୍ତ ବୋଲି ଜଣାଯାଇଛି।