ଭାରତୀୟ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବାରେ ମୋଦି ସରକାର ନେଇଛନ୍ତି ଐତିହାସିକ ପଦକ୍ଷେପ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତର ଅର୍ଥନୀତିକୁ ୫ ଟ୍ରିଲିୟନ ଆମେରିକୀୟ ଡଲାର ବିଶିଷ୍ଟ କରିବା ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ବିଗତ କିଛି ଦିନରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପର ପ୍ରଭାବ ସବୁ ସ୍ତରରେ ଅନୁଭୂତ ହେବ ବୋଲି ଏକ ସାମ୍ବାଦିକସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଭାରତ ସରକାର ନେଇଥିବା ସକାରାତ୍ମକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏବେ ଏସିଆ ମହାଦେଶରେ କମ୍ପାନୀ ମାନଙ୍କ ଉପରେ ସବୁଠୁ କମ୍ ଟିକସ ଲାଗୁ କରୁଥିବା ଦେଶ ଭାବରେ ଭାରତ ଆଗକୁ ଆସିଛି। ଏବେ ଭାରତର କର୍ପୋରେଟ ଟ୍ୟାକ୍ସ ସିଙ୍ଗାପୁର ସହ ସମାନ ହୋଇଛି। ଏହା ମୋଦି ସରକାରଙ୍କର ଏକ ଐତିହାସିକ ନିର୍ଣ୍ଣୟ।ଶ୍ରୀ ପ୍ରଧାନ କହିଛନ୍ତି ଯେ ୩୦ ପ୍ରତିଶତରେ ଥିବା କର୍ପୋରେଟ ଟ୍ୟାକ୍ସକୁ ୨୨ ପ୍ରତିଶତକୁ କମ୍ କରାଯାଇଛି।

ସେ କହିଛନ୍ତି ଅକ୍ଟୋବର, ୨୦୧୯ ପରେ ପଂଜୀକୃତ ହୋଇଥିବା କମ୍ପାନୀଗୁଡିକର ଯାହା ବି ନିର୍ମାଣ (ମାନୁଫାକ୍ଚରିଂ) କ୍ଷେତ୍ରରେ କାର୍ଯରତ, ସେମାନଙ୍କ ଆୟ କରକୁ ୧୫ ପ୍ରତିଶତରେ ସୀମିତ ରଖାଯାଇଛି। ଏହି ନୂଆ କମ୍ପାନୀଗୁଡିକୁ କୌଣସି ସର୍ବନିମ୍ନ ବିକଳ୍ପ ଟିକସ (ଏମଏଟି) ମଧ୍ୟ ଦେବାକୁ ପଡିବ ନାହିଁ। ଯେଉଁ ପୁରୁଣା କମ୍ପାନୀ ଗୁଡିକ ସର୍ବନିମ୍ନ ବିକଳ୍ପ ଟିକସ ୧୮. ୫ ପ୍ରତିଶତ ହାରରେ ଦେଉଥିଲେ ଏହାକୁ ମୋଦି ସରକାର ୧୫ ପ୍ରତିଶତରେ ସୀମିତ ରଖିବା ପାଇଁ ନିର୍ଣୟ କରିଛନ୍ତି। ଏହି ପଦକ୍ଷେପ ମାନୁଫାକ୍ଚରିଂ ସେକ୍ଟରରେ ନୂଆ ପୁଂଜି ନିବେଶକୁ ପ୍ରୋତ୍ସାହିତ କରିବା ସହ ମୋଦି ସରକାରଙ୍କ ମେକ ଇନ ଇଣ୍ଡିଆ ପଦକ୍ଷେପକୁ ତ୍ୱରାନ୍ୱିତ କରିବ।

ଟ୍ୟାକ୍ସ ରିହାତି ଘୋଷଣା ପରେ ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୩୬,୦୯୩ ପଏଣ୍ଟରୁ ୩୮,୦୧୭ ପଏଣ୍ଟରେ ପହଞ୍ଚି ପାରିଛି। ଏହି ୧୯୨୪ ପଏଣ୍ଟ ବୃଦ୍ଧି ଷ୍ଟକ୍ ଏକ୍ସଚେଞ୍ଜର ଇତିହାସରେ ଏକ ରେକର୍ଡ ସୃଷ୍ଟି କରିଛି। ଦେଶର ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କକୁ ଏକୀକୃତ କରି ଚାରିଟି କରାଯାଇଛି। ସରକାର ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କୁ ୭୦ ହଜାର କୋଟି ଟଙ୍କାର ପୁଂଜି ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଅଯାଇଛି। ଏହା ଦ୍ୱାରା ଛୋଟ ବ୍ୟବସାୟୀ ଠାରୁ କର୍ପୋରେଟ କମ୍ପାନୀ ପର୍ଯ୍ୟନ୍ତ ବ୍ୟାଙ୍କ ଗୁଡିକରୁ କମ ସୁଧରେ ଅଧିକ ଋଣ ସୁବିଧା ପାଇପାରିବେ। ଏହା ଦ୍ୱାରା ବଜାରରେ ଆର୍ଥିକ ଗତିବିଧି ଦ୍ରୁତ ବୃଦ୍ଧି ପାଇବ ଓ ଏହାର ଫାଇଦା ଦେଶର ଗରୀବ ଓ ସାଧାରଣ ଲୋକ ମାନଙ୍କ ପାଖରେ ସିଧା ସିଧା ପହଂଚିବ।

ବ୍ୟାଙ୍କମାନଙ୍କର ଅଧିକ ଋଣ ସୁବିଧା ଅର୍ଥନୀତିରେ ନିଜ ଗୋଡରେ ଠିଆ ହେବା ପାଇଁ ସଂଘର୍ଷ କରୁଥିବା ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପଦ୍ୟୋଗୀମାନଙ୍କୁ ବଡ ସାହାଯ୍ୟ ହେବ। ଏହି ବ୍ୟବସ୍ଥା ସହ ଦେଶର ଜିଏସଟିରେ ମଧ୍ୟ ଆହୁରି ସରଳୀକୃତ କରାଯାଇ ଜିଏସଟି ହାରକୁ ହ୍ରାସ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବ୍ୟାଙ୍କ ଋଣର ଏକ ପ୍ରମୁଖ ଭାଗ ୨୦ ହଜାର କୋଟି ଟଙ୍କାର ଗରିବ, ମଧ୍ୟବିତ ଓ ଉଚ୍ଚ ମଧ୍ୟବିତଙ୍କ ପାଇଁ ଗୃହ ଋଣ ଦ୍ୱାରା ବଜାରରେ ସୃଷ୍ଟି ହେଉଥିବା ଆର୍ଥିକ ଗତିବିଧି ଦେଶର ବଜାରକୁ ବେଶ୍ ମଜବୁତ୍ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧ ହଜାରେ ଟଙ୍କାରୁ କମ ଭଡା ବିଶିଷ୍ଟ ହୋଟେଲ ରୁମ୍କୁ ଜିଏସଟି କର ମୁକ୍ତ କରାଯାଇଥିବା ବେଳେ ହଜାରେ ଟଙ୍କାରୁ ଉଦ୍ଧ୍ୱର୍ ଓ ୭ ହଜାର ୫ ଶହ ଟଙ୍କା ମଧ୍ୟରେ ଲାଗୁଥିବା ଜିଏସଟିକୁ ୧୮ ପ୍ରତିଶତରୁ କମ କରା ଯାଇ ୧୨ ପ୍ରତିଶତ କରାଯାଇଛି। ସେହିପରି ୭ ହଜାର ୫ ଶହ ଟଙ୍କାରୁ ଉଦ୍ଧ୍ୱର୍ ହୋଟେଲ ରୁମ ଭଡାରେ ଜିଏସଟିକୁ ୨୮ ପ୍ରତିଶତରୁ କମ କରି ୧୮ ପ୍ରତିଶତ କରା ଯାଇଛିା କୃଷି ଉତ୍ପାଦ ଯଥା ଡାଲି, ଚାଉଳ, ଚା, କଫି, ପନିପରିବା ଆଦିକୁ ପଣ୍ୟାଗାରରେ ସଂରକ୍ଷଣକୁ ଜିଏସଟି ପର୍ଯ୍ୟାୟକ୍ରମେ ହ୍ରାସ କରା ଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି।