ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ : କିଛି ଲୋକ କୃଷକଙ୍କ ସ୍ୱାଧୀନତାକୁ ସହି ପାରୁନାହାନ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେନ୍ସିଂ ଯୋଗେ ନମାମି ଗଙ୍ଗେ ମିଶନ ଅନ୍ତର୍ଗର୍ତ ହରିଦ୍ୱାର, ଋଷିକେଶ ଓ ବଦ୍ରିନାଥ ସମେତ ଅନେକ ସହରର ୬ଟି ବଡ଼ ପରିଯୋଜନାର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ବିଲ୍ ବିରୋଧରେ ପ୍ରଦର୍ଶନ କରୁଥିବା କଂଗ୍ରେସ ଉପରେ ବର୍ଷିଛନ୍ତି। ମୋଦୀ କହିଛନ୍ତି ଯେ, ‘ଆଜି କେନ୍ଦ୍ର ସରକାର କୃଷକଙ୍କୁ ତାଙ୍କ ଅଧିକାର ଦେଉଥିବାବେଳେ ମଧ୍ୟ ଏମାନେ ବିରୋଧ କରୁଛନ୍ତି। ଏମାନେ ଚାହୁଛନ୍ତି କି ଦେଶର କୃଷକ ଖୁଲା ବଜାରରେ ତାଙ୍କ ସାମଗ୍ରୀ ବିକ୍ରି କରିନପାରନ୍ତୁ। ଯେଉଁ ଉପକରଣକୁ କୃଷକ ପୂଜା କରନ୍ତି ତାକୁ ଜଳାଇ ଏମାନେ କୃଷକଙ୍କୁ ଅପମାନିତ କରୁଛନ୍ତି।’

ମୋଦୀ ଆହୁରି କହିଛନ୍ତି ଯେ, ‘ଆଜି ଏମାନେ ଏମଏସପିକୁ ନେଇ ମଧ୍ୟ ଗୁଜବ ପ୍ରଚାର କରୁଛନ୍ତି। ସ୍ୱାମୀନାଥମ କମିଶନର ଇଚ୍ଛା ଅନୁସାରେ ଆମ ସରକାର ହିଁ ଏମଏସପି ଲାଗୁ କରିଥିଲା। ଦେଶରେ ଏମଏସପି ରହିବା ସହ କୃଷକକୁ ଦେଶର କୌଣସି ବି ସ୍ଥାନରେ ଫସଲ ବିକ୍ରି କରିବାର ସ୍ୱାଧୀନତା ମିଳିବ। କିନ୍ତୁ ଏହି ସ୍ୱାଧୀନତା କିଛି ଲୋକ ସହ୍ୟ କରିପାରୁନାହାନ୍ତି।