ମରିସସ୍-ଭାରତ ସାଂସ୍କୃତିକ ସମ୍ପର୍କ ଅତି ନିବିଡ଼ : ମୋଦୀ

ନୂଆଦିଲ୍ଲୀ, ଏଜେନ୍ସି: ମରିସସ ସହ ଭାରତର ସାଂସ୍କୃତିକ ସମ୍ପର୍କ ଅତି ପ୍ରାଚୀନ ଓ ନିବିଡ। ଭାରତ ଏହାର ଅଂଶୀଦାର ରାଷ୍ଟ୍ରଗୁଡିକ ସହ ଅଭିବୃଦ୍ଧି ପଥରେ ଅଗ୍ରସର ହେବାକୁ ଏହାର ନୀତି ପ୍ରଣୟନ କରୁଛି ଏବଂ ଏହି ଅଂଶୀଦାର ରାଷ୍ଟ୍ରଗୁଡିକ ସହ ସମ୍ପର୍କ ରଖିଲା ବେଳେ ଆର୍ଥିକ ଫାଇଦାକୁ ବିଚାରକୁ ନିଏ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗୁରୁବାର ମୋଦୀ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ସହ ମିଳିତ ଭାବେ ପୋର୍ଟଲୁଇସରେ ମରିସସ୍ ସୁପ୍ରିମକୋର୍ଟର ନୂଆ ଅଟ୍ଟାଳିକାକୁ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋଦୀ ମରିସସର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇ କୋଭିଡ୍-୧୯ ର ମୁକାବିଲାରେ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ। ସେ ମରିସସ୍ ସହ ଭାରତର ବନ୍ଧୁତା ବିଷୟ ଉଲ୍ଲେଖ କରି କହିଲେ ଦୁଇ ଦେଶ ମଧ୍ୟରେ ପୁରାତନ ସମୟରୁ ସାଂସ୍କୃତିକ ସମ୍ପର୍କ ରହିଆସିଛି। ଭାରତ ‘ସାଗର ନୀତି’ରେ ବିଶ୍ୱାସ କରେ, ଯାହା ଅନୁସାରେ ସମଗ୍ର ଅଞ୍ଚଳର ବିକାଶ, ଅଭିବୃଦ୍ଧି ଓ ସୁରକ୍ଷାକୁ ନିଶ୍ଚିତ କରାଯାଇପାରିବ। ପ୍ରଧାନମନ୍ତ୍ରୀ ୨୦୧୫ରେ ‘ସାଗର ଭିଜନ’ ଆରମ୍ଭ କରିଥିଲେ। ଭାରତର ବିକାଶ ନୀତିରେ ମାନବ ସମାଜକୁ ସର୍ବଦା ଅଗ୍ରାଧିକାର ଦିଆଯାଇ ଆସୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ବିଶ୍ୱର ଅନ୍ୟ ଦେଶଗୁଡିକ ସହ ଭାରତର ସମ୍ପର୍କ କେବେ ବି ଅର୍ଥକୈନ୍ଦ୍ରିକ ହୋଇନାହିଁ। ଏଥିରେ ସର୍ବଦା ପାରସ୍ପରିକ ସ୍ୱାର୍ଥ ଓ ସମୃଦ୍ଧିକୁ ଅଗ୍ରାଧିକାର ଦିଆଯାଇ ଆସୁଛି। ଅନେକ ଦେଶର ବିକାଶରେ ଭାରତର ଭୂମିକା ନେଇ ସେ କହିଛନ୍ତି। ସେଗୁଡିକ ମଧ୍ୟରେ ଆଫଗାନିସ୍ଥାନ ପାର୍ଲାମେଣ୍ଟ ଅଟ୍ଟାଳିକା, ନାଇଜର ମହାତ୍ମା ଗାନ୍ଧୀ ସମ୍ମିଳନୀ କେନ୍ଦ୍ର, ଶ୍ରୀଲଙ୍କାର ୯ଟି ପ୍ରଦେଶରେ ଆମ୍ବୁଲାନ୍ସ ସେବା ଓ ନେପାଳରେ ଜରୁରୀକାଳୀନ ଡାକ୍ତରୀ ସେବା ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ କହିଛନ୍ତି, ମରିସସ ସହ ଭାରତର ସମ୍ପର୍କ ଆଗାମୀ ଦିନ ଗୁଡିକରେ ଶିଖର ଛୁଇଁବ ବୋଲି ତାଙ୍କ ଦୃଢ ବିଶ୍ୱାସ ରହିଛି। ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ କହିଛନ୍ତି, ଭାରତ’ ମରିସସର ବିକାଶରେ ସର୍ବଦା ଏକ ବନ୍ଧୁ ରାଷ୍ଟ୍ରର ଭୂମିକା ନିର୍ବାହ କରି ଆସୁଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜଭୂତ ହୋଇପାରିଛି।