ଲିଙ୍ଗଗତ ନ୍ୟାୟ ପ୍ରତି ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ,ଏଜେନ୍ସି : ପୁରୁଷ ଓ ମହିଳାଙ୍କ ମଧ୍ୟରେ ଭେଦଭାବ ନୀତି ଦୂର ନହେବା ପର୍ଯ୍ୟନ୍ତ କୌଣସି ଦେଶ ଅବା ସମାଜର ବିକାଶ ପୂର୍ଣ୍ଣାଙ୍ଗ ଅସମ୍ଭବ ବୋଲି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ସରକାର ମହିଳାଙ୍କୁ ବହୁକ୍ଷେତ୍ରରେ ଆଗକୁ ଯିବା ପାଇଁ ବାଟ ଫିଟାଉଛନ୍ତି। ତା’ର ଉଦାହରଣ ସ୍ୱରୂପ ମୋଦୀ ପ୍ରତିରକ୍ଷା ବିଭାଗ ଓ ଯୁଦ୍ଧ ବିମାନରେ ମହିଳାଙ୍କ ନିଯୁକ୍ତି, ରାତିରେ ଖଣିଖାଦାନରେ କାମ କରିବା ପାଇଁ ମହିଳାଙ୍କ ସ୍ୱାଧୀନତାକୁ ଦର୍ଶାଇଛନ୍ତି।

ତାଙ୍କ ମତରେ ଭାରତର ସମ୍ବିଧାନରେ ସମାନତାର ଅଧିକାର ଉଲ୍ଲେଖ କରାଯିବା ଫଳରେ ମହିଳାଙ୍କୁ ପୁରୁଷଙ୍କ ସମକକ୍ଷ କରାଯାଇଛି। ସାରା ବିଶ୍ୱରେ ଭାରତ ଭଳି କ୍ୱଚିତ୍ ଦେଶ ସ୍ୱାଧୀନତା ଲାଭ ପରଠାରୁ ମହିଳାଙ୍କୁ ଭୋଟ ଦେବାର ଅଧିକାର ପ୍ରଦାନ କରିଛନ୍ତି। କର୍ମଜୀବୀ ମହିଳାଙ୍କୁ ମାତୃତ୍ୱ ଅବକାଶ ପ୍ରଦାନ କରୁଥିବା କ୍ୱଚିତ୍ ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ସ୍ୱାଧୀନତାର ୭୦ ବର୍ଷ ପରେ ନିର୍ବାଚନରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କଠାରୁ ଅଧିକ ଦେଖିବାକୁ ମିଳିଛି। ଶିକ୍ଷାନୁଷ୍ଠାନରେ ବାଳକଙ୍କ ତୁଳନାରେ ବାଳିକାଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶନିବାର ସୁପ୍ରିମକୋର୍ଟ ପରିସରରେ ଅନୁଷ୍ଠିତ ଆନ୍ତର୍ଜାତିକ ନ୍ୟାୟ ମହାସମ୍ମିଳନୀରେ ଯୋଗଦାନ କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ବିଷୟ ଉତଥାପନ କରିଛନ୍ତି।