ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷର ପୂର୍ତ୍ତି, ଦେଶବାସୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ୟ୍ୟକାଳର ପ୍ରଥମ ବର୍ଷ ପୂରଣ ହୋଇଛି। ତେବେ ଆଜିର ଏହି ଦିବସରେ କୋରୋନା ଲକଡାଉନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ କୌଣସି ପ୍ରକାରର ବଡ଼ କାର୍ୟ୍ୟକ୍ରମର ଆୟୋଜନ କରାଯାଇନଥିବା ବେଳେ ଆଜି ଦଳ ଭର୍ଚୁଆଲ ରାଲି କରିବାକୁ ନିଷ୍ପତ୍ତି ନେଇଛି। ଆଜି ଏହି ଅବସରରେ ମୋଦୀ ୨.୦ ସରକାରଙ୍କ ବର୍ଷପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି। ଚିଠିରେ ସେ କୋରୋନା ଲଢ଼େଇ ଠାରୁ ଦେଶର ଅର୍ଥନୀତି ଓ ବାତ୍ୟା ଅମ୍ପାନ ବିପର୍ଯ୍ୟୟ କଥା ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ଯଦି ପରିସ୍ଥିତି ସ୍ୱାଭାବିକ ଥାନ୍ତା ତେବେ ମୁଁ ଆପଣମାନଙ୍କ ସାମ୍ନାକୁ ଆସିବାର ସୌଭାଗ୍ୟ ଲାଭ କରିଥାନ୍ତି। କିନ୍ତୁ ମହାମାରୀ କୋରୋନା ଯୋଗୁଁ ଏହା ସମ୍ଭବ ନୁହେଁ, ତେଣୁ ଏହି ପତ୍ର ମାଧ୍ୟମରେ ମୁଁ ଆପଣମାନଙ୍କଠାରୁ ଆଶୀର୍ବାଦ କାମନା କରୁଛି।

ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି, ଯେ ଆଜିର ଦିନରେ ଭାରତୀୟ ଗଣତନ୍ତ୍ରରେ ଏକ ସୁବର୍ଣ୍ଣ ଯୁଗର ଆରମ୍ଭ ହୋଇଥିଲା। ଦୀର୍ଘ ଦଶନ୍ଧି ପରେ ଲୋକମାନେ ଗୋଟିଏ କାର୍ୟ୍ୟରତ ସରକାରଙ୍କୁ ପୁଣିଥରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ଶାସନ କରିବାକୁ ମନୋନିତ କରିଥିଲେ। ମୁଁ ପୁଣିଥରେ ୧୩୦ କୋଟି ଭାରତୀୟ ଓ ଭାରତର ଗଣତାନ୍ତ୍ରିକ ପରମ୍ପରା ଆଗରେ ଶତଶତ ପ୍ରଣାମ କରୁଛି। ଆପଣଙ୍କ ଭଲ ପାଇବା, ଶୁଭେଚ୍ଛା ଓ ସହଯୋଗ ସର୍ବଦା ପ୍ରେରଣା ଯୋଗାଇ ଆସିଛି।

୨୦୧୪ରୁ ୨୦୧୯ ମଧ୍ୟରେ ଭାରତର ସ୍ଥିତି ଅହେତୁକ ଭାବେ ବୃଦ୍ଧି ପାଇଛି। ଗରିବଙ୍କ ଆତ୍ମସମ୍ମାନକୁ ଗୁରୁତ୍ୱ ଦିଆଯାଇଛି। ସମସ୍ତଙ୍କ ପାଇଁ ଘର ଠାରୁ ଆରମ୍ଭ କରି ଗ୍ୟାସ ଓ ବିଜୁଳି ମିଳିଛି। ଦୀର୍ଘ ଦିନ ଧରି ଦାବି ଉଠୁଥିବା ଓଆରଓପି, ଗୋଟିଏ ଦେଶ ଗୋଟିଏ ଟିକସ ଓ ଚାଷୀଙ୍କ ଏମଏସପି ପୂରଣ ହୋଇପାରିଛି। ଜନ ଶକ୍ତି ଓ ସ୍ୱରାଷ୍ଟ୍ର ଶକ୍ତି ସମସ୍ତଙ୍କୁ ଏକାଠି କରିପାରିଛି। ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ ଦିଗରେ ସରକାର ଗତି କରିବାରେ ଲାଗିଛନ୍ତି।

ଗତ ଗୋଟିଏ ବର୍ଷ ମଧ୍ୟରେ ଧାରା ୩୭୦ର ଉଚ୍ଛେଦ, ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦ୍ୱାରା ଦେଶରେ ଶହଶହ ବର୍ଷ ଧରି ଚାଲିଥିବା ବିତର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଟ୍ରିପଲ ତଲାକ ଭଳି କୁତ୍ସିତ ପ୍ରଥା ଉଚ୍ଛେଦ ହୋଇଛି। ନାଗରିକତା ଆଇନର ସଂଶୋଧନ ଭାରତର ଏକ ବଡ଼ ଉପଲବ୍ଧି। କିନ୍ତୁ ଦେଶରେ ଏମିତି କିଛି ନିଷ୍ପତ୍ତି ନିଆଯାଇଛି, ଯାହା ଦ୍ୱାରା ଦେଶର ବିକାଶ ଆଗକୁ ବଢ଼ିଛି।

୩ ସେନା ବାହିନୀ ମଧ୍ୟରେ ସମନ୍ୱୟ ରଖିବା ପାଇଁ ସିଡିଏସ ଗଠନ ହୋଇଛି। ଏହି ସମୟରେ ଭାରତ ମିଶନ ଗଗନଯାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଗରିବ, ଚାଷୀ ଓ ମହିଳାଙ୍କୁ ସଶକ୍ତ କରିବା ହିଁ ଆମର ମୂଳଲକ୍ଷ୍ୟ। ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ମାତ୍ର ବର୍ଷକ ଭିତରେ ୯,୫୦,୦୦,୦୦୦ ଚାଷୀଙ୍କ ଖାତାରେ ୭୨ ହଜାର କୋଟି ଟଙ୍କା ଜମା କରାଯାଇଛି। ୧୫ କୋଟି ଗ୍ରାମୀଣ ଲୋକଙ୍କୁ ପାଇପ ଯୋଗେ ପାଣି ଯୋଗାଇ ଦେବା ପାଇଁ ଜଳ ଜୀବନ ମିଶନ ଆରମ୍ଭ ହୋଇଛି।

ପ୍ରଥମଥର ପାଇଁ ଆମ ଦେଶରେ ଚାଷୀ, ଶ୍ରମିକ ଓ ଛୋଟ ଦୋକାନୀଙ୍କୁ ୬୦ ବର୍ଷ ପରେ ୩ ହଜାର ଟଙ୍କାର ପେନସନ ଦେବାର ବ୍ୟବସ୍ଥା ହୋଇଛି। ଦେଶର ଅର୍ଥନୀତିକୁ ଶକ୍ତିଶାଳୀ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ୭ କୋଟିରୁ ଅଧିକ ମହିଳାଙ୍କ ସ୍ୱଂୟ ସହାୟକ ଗୋଷ୍ଠୀରେ ସାମିଲ କରାଯାଇଛି। ପୂର୍ବରୁ ଏହି ଗୋଷ୍ଠୀ ପାଇଁ ୧୦ ଲକ୍ଷ ଟଙ୍କାର ଋଣ ବ୍ୟବସ୍ଥା ଥିବା ବେଳେ ଏବେ ଏହାକୁ ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି। ଆଦିବାସୀ ପିଲାଙ୍କ ଶିକ୍ଷାଦାନ ପାଇଁ ଆମେ ୪୦୦ଟି ନୂଆ ଏକଲବ୍ୟ ମଡେଲ ରେସିଡେଣ୍ଟାଲ ସ୍କୁଲର ନିର୍ମାଣ କାମ ଆରମ୍ଭ କରିଛୁ।

ବର୍ତ୍ତମାନ ମହାମାରୀ କରୋନା ସାରା ବିଶ୍ୱ ସମେତ ଭାରତରେ ମଧ୍ୟ ତା’ର କାୟା ବିସ୍ତାର କରିଛି। ସମସ୍ତେ ଭାବୁଛନ୍ତି ଭାରତରେ କରୋନା କାୟା ବିସ୍ତାର କରୁଥିବାରୁ ଏହା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିବ। କିନ୍ତୁ ଆମେ ସମସ୍ତେ ମିଳିତ ଭାବେ ବିଶ୍ୱବାସୀଙ୍କ ଚିନ୍ତାଧାରାକୁ ବଦଳାଇ ପାରିବା। କରୋନା ସହ ଆମ ଲଢ଼େଇ ବିଶ୍ୱବାସୀଙ୍କୁ ଚକିତ କରିଛି। ସେମାନେ ଆମକୁ ଏବେ ଦେଖିବାରେ ଲାଗିଛନ୍ତି।

ଭାରତୀୟଙ୍କ ଏକତା ବିଶ୍ୱର ଶକ୍ତିଶାଳୀ ଓ ଧନୀ ରାଷ୍ଟ୍ରକୁ ମଧ୍ୟ ପଛରେ ପକାଇ ଦେଇଛି। ଏକତା ଦ୍ୱାରା ସବୁ ସମ୍ଭବ ବୋଲି ଆମେ ପ୍ରମାଣ କରି ଦେଖାଇଛୁ। ତାଳି ମାରି ହେଉ କିମ୍ବା ଦୀପ ଜାଳି ହେଉ କରୋନା ଯୋଦ୍ଧାକୁ ଆମେ ସମ୍ମାନ ଜଣାଇଛେ। ବାୟୁସେନା ବି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛି। ଜନତା କର୍ଫ୍ୟୁ ହେଉ କିମ୍ବା ଲକଡାଉନ କଟକଣା ହେଉ ଆପଣମାନେ ସର୍ବଦା ଏକ ଭାରତ ନୀତିକୁ ସମ୍ମାନ ଓ ସମର୍ଥନ ଜଣାଇଛନ୍ତି। ଏକ ଭାରତ ଓ ଶ୍ରେଷ୍ଠ ଭାରତର ଉଦାହାରଣ ସୃଷ୍ଟି ହୋଇଛି ବୋଲି ମୋଦି ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।