ବିରୋଧୀଦଳଗୁଡ଼ିକ ଲୋକଙ୍କୁ ଭୟଭୀତ କରୁଛନ୍ତି : ମୋଦୀ

ସାହେବଗଞ୍ଜ,ଏଜେନ୍ସି: ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜି (ଏନଆରସି) ସମ୍ପର୍କରେ ବିରୋଧୀଦଳଗୁଡ଼ିକ ଅପପ୍ରଚାର କରି ଲୋକଙ୍କୁ ଅଯଥାରେ ଭୟଭୀତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଝାଡ଼ଖଣ୍ଡର ସାହେବଗଞ୍ଜ ଜିଲ୍ଲାର ବାରହିଟଠାରେ ମଙ୍ଗଳବାର ମୋଦୀ ଏକ ନିର୍ବାଚନୀ ରାଲିରେ ଯୋଗଦେଇ କହିଛନ୍ତି, କଂଗ୍ରେସ ଓ ତା’ର ସହଯୋଗୀଦଳଗୁଡ଼ିକ ରାଜନୈତିକ ଉଦ୍ଦେଶ୍ୟ ପାଇଁ ମୁସଲିମ୍ମାନଙ୍କୁ ଉସକାଉଛନ୍ତି। ଏହି ଦଳଗୁଡ଼ିକ ସମାଜକୁ ଭାଗ ଭାଗ କରି ରାଜନୀତି କରିଆସିଥିବାରୁ ଏଭଳି ପନ୍ଥା ଆପଣେଇଛନ୍ତି। କେନ୍ଦ୍ରରେ କଂଗ୍ରେସ ସରକାର ଥିଲାବେଳେ ଦେଶରେ ବେଆଇନ୍ ଶରଣାର୍ଥୀମାନେ ବହୁସଂଖ୍ୟାରେ ପ୍ରବେଶ କରିଥିଲେ। କଂଗ୍ରେସ ସେମାନଙ୍କୁ ଭୋଟବ୍ୟାଙ୍କ୍ ଭାବେ ବ୍ୟବହାର କରିଆସୁଥିଲା। ଦେଶକୁ ଆହୁରି ଭାଗ ଭାଗ କରିବା ଲାଗି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କୁ ଆଉ ସୁଯୋଗ ଦିଆଯିବ ନାହିଁ ବୋଲି ମୋଦୀ ଦୃଢ଼ତାର ସହ କହିଛନ୍ତି।

ସିଏଏ ସମ୍ପର୍କରେ ମୋଦୀ କହିଲେ, ଏହି ଆଇନ୍ ଦ୍ୱାରା କୌଣସି ଭାରତୀୟ କିମ୍ବା କୌଣସି ଧର୍ମର ନାଗରିକ କ୍ଷତିଗ୍ରସ୍ତ ହେବେନାହିଁ। ବରଂ ଯେଉଁମାନେ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରେ ଦୀର୍ଘଦିନ ଧରି ଧର୍ମୀୟ ଉତ୍ପୀଡ଼ନର ଶିକାର ହୋଇ ଭାରତକୁ ଚାଲିଆସିଥିଲେ ସେହିମାନେ ହିଁ କେବଳ ଏହାଦ୍ୱାରା ଉପକୃତ ହେବେ। କେତେକ ରାଜନୈତିକ ଦଳ ଏବଂ ସହରୀ ନକ୍ସଲମାନେ ଯୁବକମାନଙ୍କ କାନ୍ଧରେ ବନ୍ଧୁକ ଫୁଟାଉଛନ୍ତି।

କଲେଜଗୁଡ଼ିକରେ ଛାତ୍ରଛାତ୍ରୀମାନେ ସରକାରଙ୍କ ନୀତି ସମ୍ପର୍କରେ ବିତର୍କ କରିବାକୁ ମୋଦୀ ଆହ୍ୱାନ ଦେଇ କହିଛନ୍ତି, ବିରୋଧୀଦଳଗୁଡ଼ିକ ଗରିଲା ରାଜନୀତି ତୁରନ୍ତ ଛାଡ଼ନ୍ତୁ। ଝାଡ଼ଖଣ୍ଡରେ ଜେଏମଏମ୍-କଂଗ୍ରେସ ଏବଂ ଆରଜେଡି ମେଣ୍ଟକୁ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ କହିଲେ, ଏହି ରାଜ୍ୟ ଗଠନ ହେବା ସମୟରେ ଏହି ଦଳଗୁଡ଼ିକ ହିଂସାକାଣ୍ଡ ସୃଷ୍ଟି କରି ଜନସାଧାରଣଙ୍କ ମଧ୍ୟରେ ଭୟ ସଞ୍ଚାର କରିଥିଲେ। ମୋଦୀ ପାକୁରଠାରେ ଅନ୍ୟ ଏକ ନିର୍ବାଚନୀ ସଭାରେ ଯୋଗଦେଇ କହିଥିଲେ, ରାଜ୍ୟର ବିକାଶ ପାଇଁ ମହାମେଣ୍ଟ ସରକାର ନିହାତି ଜରୁରୀ।