ଭାରତକୁ ବୁଷ୍ଟର ସଟଯୁକ୍ତ ଭ୍ୟାକ୍ସିନର ଅଫର ଦେଲା ମୋଡର୍ଣ୍ଣା

ନୂଆଦିଲ୍ଲୀ: ଆମେରିକୀୟ ଔଷଧ କମ୍ପାନୀ ମୋଡର୍ଣ୍ଣାର ବୁଷ୍ଟର ସଟଯୁକ୍ତ ଭ୍ୟାକ୍ସିନ ଆଗାମୀ ବର୍ଷ ଜାନୁଆରୀ ବେଳକୁ ଭାରତ ଆସିପାରେ। ଭାରତକୁ ଭ୍ୟାକ୍ସିନ ଦେବା ପାଇଁ କମ୍ପାନୀ ଅଫର ପ୍ରଦାନ କରିଛି। ଭାରତ ଓ ଔଷଧ କମ୍ପାନୀ ମଧ୍ୟରେ ଏବେ ଟଙ୍କାକୁ ନେଇ ଆଲୋଚନା ଜାରି ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆମେରିକାରୁ ୨୦ କୋଟି ଡୋଜ ଭ୍ୟାକ୍ସିନ ଆସିବା ନେଇ ଆଲୋଚନା ଚାଲିଛି। ଏଥିରେ ଫାଇଜରର ୫ କୋଟି ଓ ଜୋନସନ ଏଣ୍ଡ ଜୋନସନର ୭ କୋଟି ଭ୍ୟାକ୍ସିନ ମଧ୍ୟ ସାମିଲ ରହିଛି। ଜୋନସନ ଏଣ୍ଡ ଜୋନସନ ଭ୍ୟାକ୍ସିନ ସିଙ୍ଗଲ ଡୋଜ ହୋଇଥିବାରୁ ଏଥିରୁ ୧୪ କୋଟି ଲୋକ ଭ୍ୟାକ୍ସିନ ନେଇପାରିବେ। ଏତଦବ୍ୟତୀତ ମୋଡର୍ଣ୍ଣାରୁ ୫ କୋଟି ଭ୍ୟାକ୍ସିନ ଆସିବା ନେଇ ଆଲୋଚନା ଜାରି ରହିଛି। ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ଖବର ଅନୁସାରେ, ଭାରତ ସରକାର ଚଳିତ ଆର୍ଥିକ ବର୍ଷରେ  ୪୫ରୁ ୫୦ ହଜାର କୋଟି ଟଙ୍କା ଭ୍ୟାକ୍ସିନ ଲାଗି ଆବଣ୍ଟନ କରିଛନ୍ତି। ସେଥିପାଇଁ ବଜେଟ୍ ନେଇ କୌଣସି ସମସ୍ୟା ହେବ ନାହିଁ।