ବଲାଙ୍ଗିର,ଏନ୍ଏନ୍ଏସ୍: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଆଜି ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀଙ୍କ ସଂଯୋଜନାରେ ସ୍ଥାନୀୟ ଗାନ୍ଧୀ ଭବନଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ଯୋଗ ଦେଇଥିଲେ। ଅତିରିକ୍ତ ଏସପି ମନୋରଞ୍ଜନ ପ୍ରଧାନ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶଙ୍କର୍ଷଣ ପ୍ରଧାନ, ଅତିରିକ୍ତ ଅଗ୍ନିଶମ ଅଧିକାରୀ ଶ୍ୟାମସୁନ୍ଦର ସିଂ ଓ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର କାର୍ଯ୍ୟକ୍ରମ ଅଧିକାରୀ ଗୀତାଞ୍ଜଳି ସା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଓଡ଼ିଶା ପ୍ରତ୍ୟେକଟି ବିପର୍ଯ୍ୟୟର ସଠିକ ମୁକାବିଲା କରି ଆଜି ବିଶ୍ୱସ୍ତରରେ ପ୍ରଂଶସିତ। ବିପର୍ଯ୍ୟୟ କେତେବେଳେ ବି ଆସିପାରେ ସେଥିପାଇଁ ଆମକୁ ସଦାସର୍ବଦା ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ ବୋଲି ମୁଖ୍ୟଅତିଥି ଶ୍ରୀ ଲାଗୁରୀ କହିଥିଲେ। ସଚେତନତା ଓ ପୂର୍ବ ପ୍ରସ୍ତୁତି ଦ୍ୱାରା ହିଁ ପ୍ରାକୃତିକ ବିପର୍ଯ୍ୟୟର ସଠିକ ମୁକାବିଲା କରାଯାଇପାରିବ ବୋଲି ଅତିରିକ୍ତ ଏସପି କହିଥିଲେ। ପରେ ଅଗ୍ନିଶମ ବିଭାଗ ତରଫରୁ ବିଭିନ୍ନ ଉପକରଣ ପ୍ରୟୋଗ କରାଯାଇ ମକଡ୍ରିଲ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା।