ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ମୋବାଇଲ ସେବା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମାଓଗଡ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ମୋବାଇଲ ସେବା। ବିଏସଏଫ ପୁଲିସ ବାହିନୀର କଡା ପ୍ରହରା ଓ ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟାରେ ବିକାଶର ଧାରା ଅବ୍ୟାହତ ରହିଛି। ପୂର୍ବରୁ ସ୍ୱାଭିମାନ ଅଞ୍ଚଳର କେବଳ ବଦପଡା ଓ ଜନବାଇରେ ଏହି ସେବା ଥିବାବେଳେ ଗୁରୁପ୍ରିୟା ସେତୁ ହେବ ପରେ ଜିଲ୍ଲା ବିକାଶର ଗୋଟିଏ ପରେ ଗୋଟିଏ ପାହାଚ ଚଡ଼ିବାରେ ଲାଗିଛି। ପୁଲିସର କଡା ସୁରକ୍ଷା ଯୋଗୁଁ ଦୀର୍ଘ ଦଶନ୍ଧି ପରେ ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସ୍ୱପ୍ନ ସାକାର ହୋଇଛି। ଏଣିକି ଏଠାକାର ବାସିନ୍ଦା ପାଇବେ ୪ଜି ମୋବାଇଲ ସେବାର ସୁବିଧା।

ସ୍ୱାଭିମାନ ଅଞ୍ଚଳରେ ଟେଲିକମ୍‌ ସେବା ଆରମ୍ଭ ହେବ ଫଳରେ ହନ୍ତାଳଗୁଡା, ଜନ୍ତାପାଇ, ଯୋଡ଼ାମ୍ବ ଏବଂ ଦାରଲାବେଡା ଗ୍ରାମବାସୀ ଏହି ସେବା ପାଇବେ। ତେବେ ଏହା ଦ୍ୱାରା ପାଖାପାଖି ୩୦ ହଜାରରୁ ଅଧିକ ଲୋକେ ଉପକୃତ ହେବେ ବୋଲି ଜଣାପଡିଛି। ମାଓବାଦୀଙ୍କ ନାଲି ଆଖି ଯୋଗୁଁ ମୋବାଇଲ ଯୋଗାଯୋଗ ପାଇଁ ଲୋକଙ୍କୁ କୌଣସି ସୁବିଧା ନଥିଲା। ତେବେ କେନ୍ଦ୍ର ସରକାର, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ବିଶେଷ କରି ପୁଲିସର ପ୍ରଚେଷ୍ଟା ଓ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଏହା ସାକାର ହୋଇଛି। ଗତ ଜାନୁଆରୀ ମାସରେ ସ୍ୱାଭିମାନ ଅଞ୍ଚଳର ମାଓବାଦୀ ସପକ୍ଷବାଦୀ ଓ ବିପକ୍ଷବାଦୀ ମଧ୍ୟରେ ଅଶାନ୍ତ ହୋଇଉଠିଥିଲା। ତେବେ ଜିଲ୍ଲା ପ୍ରଶାସନ ଓ ପୁଲିସର ପ୍ରଚେଷ୍ଟା ବଳରେ ଏଠାରେ ଶାନ୍ତି ଫେରିଥିଲା।

ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଏସପି ରିଷୀକେଶ ଡି ଖିଲାରୀ ସମ୍ପୃକ୍ତ ଅଞ୍ଚଳକୁ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରି ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ୟ୍ୟ ହାତକୁ ନିଆଯାଇ ଶେଷ କରାଯାଇଛି। ଫଳରେ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ଜିଲ୍ଲା ପ୍ରଶାସନ ଓ ପୁଲିସ ଉପରେ ଆସ୍ଥା ବୃଦ୍ଧି ପାଇଛି। ତେଣୁ ଆଗାମୀ ଦିନରେ ମଧ୍ୟ ସ୍ୱାଭିମାନ ଅଞ୍ଚଳ ମାଓବାଦୀ ମୁକ୍ତ ହେବ ବୋଲି ଆଶା କରାଯାଉଛି। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ରାସ୍ତାଘାଟ, ବସ ସେବା, ବିଜୁଳି, ଥାନା, କ୍ୟାମ୍ପ ପ୍ରତିଷ୍ଠା ସମ୍ଭବ ହୋଇଥିବା ବେଳେ ବତ୍ର୍ତମାନ ମୋବାଇଲ ସେବା ଆରମ୍ଭ ହୋଇଛି। ମୋବାଇଲ ସେବା ସହ ୪ଜି ନେଟ ସୁବିଧା କରାଯାଇଥିବାରୁ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଆଉ ଏକ ସ୍ୱପ୍ନ ପୂରଣ ହୋଇଛି। ଏହା ଜିଲ୍ଲା ପ୍ରଶାସନ ଓ ପୁଲିସ ପାଇଁ ଆଉ ଏକ ସଫଳତାର ମାଇଲଖୁଣ୍ଟ।