ଦେବଗଡ଼,ଏନ୍ଏନ୍ଏସ୍: ଟିପିଡବ୍ଲ୍ୟୁଓଡିଏଲ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଦେବଗଡ଼ ଜିଲ୍ଲାରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ସହ ଭ୍ରାମ୍ୟମାଣ ଚିକିତ୍ସାଳୟ ଆଜି ଉଦଘାଟିତ ହୋଇଯାଇଛି । ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ ଆର୍ଥିକ ଅଧିକାରୀ ସତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ, ଚିଫ ଅପରେସନ ବିଭାଗର ସୁମିତ ଘୋଷ, କର୍ପୋରେଟ କମ୍ୟୁନିକେସନ ମୁଖ୍ୟ ବିଜୟ ପଟ୍ଟନାୟକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାଧନା ଦାଶ ମଞ୍ଚାସିନ ଥିଲେ । ଏହି ଅବସରରେ କମ୍ପାନୀ ଅଧିକାରୀମାନେ ଟାଟା ପାୱାର ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି କମ୍ପାନୀ ପକ୍ଷରୁ ଦେବଗଡ଼ ଜିଲ୍ଲାରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ରକୁ ଲୋକାର୍ପିତ କରାଯାଇଛି । ପରେ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ ସବୁଜ ପତାକା ଦେଖାଇ ଭ୍ରାମ୍ୟମାଣ ଚିକିତ୍ସାଳୟକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଟିପିଡବ୍ଲ୍ୟୁଓଡିଏଲ ଦେବଗଡ଼ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ରାଓଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।