ମାନସିକ ଅନଗ୍ରସରଙ୍କ ଚିକିତ୍ସା ପାଇଁ ଆସିବ ମୋବାଇଲ୍ “ଆପ୍’

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାନସିକ ଅନଗ୍ରସର ଶିଶୁମାନଙ୍କ ଚିକିତ୍ସା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତି ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି ।

ବେଙ୍ଗାଲୁରୁସ୍ଥିତ ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ ସ୍ନାୟୁବିଜ୍ଞାନ ପ୍ରତିଷ୍ଠାନ (ନିମାହଂସ) ସହିତ ଏଥି ପାଇଁ ଯୋଗାଯୋଗ ରକ୍ଷା କରାଯାଉଛି । ଏହା ବ୍ୟତୀତ ଭୁବନେଶ୍ୱରଠାରେ ପ୍ରସିଦ୍ଧ ସ୍ୱାସ୍ଥ୍ୟାନୁଷ୍ଠାନ ନାରାୟଣ ହୃଦୟାଳୟ ପକ୍ଷରୁ ଏକ ହସ୍ପିଟାଲ୍ ଖୋଲିବା ଦିଗରେ ପ୍ରଯତ୍ନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଗୁରୁବାର ମନ୍ତ୍ରୀ ଶ୍ରୀ ପଣ୍ଡା ଲୋକସେବା ଭବନସ୍ଥିତ ତାଙ୍କ କାର୍ୟ୍ୟାଳୟରେ ଉପରୋକ୍ତ ମର୍ମରେ ସେ ନିକଟରେ ବେଙ୍ଗାଲୁରୁସ୍ଥିତ ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ ସ୍ନାୟୁବିଜ୍ଞାନ ପ୍ରତିଷ୍ଠାନ ପରିଦର୍ଶନ କରିବା ସହିତ ପ୍ରତିଷ୍ଠାନର ନିର୍ଦ୍ଦେଶକ ବି.ଏନ୍. ଗଙ୍ଗାଧରଙ୍କ ସହିତ ଆଲୋଚନା କରିଛନ୍ତି ବୋଲି ଉଲ୍ଲେଖ କରିଥିଲେ ।

“ନିମାହଂସ’ର ଡିଜିଟାଲ୍ ଏକାଡେମୀ ଏବଂ ଓଡ଼ିଶା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମଧ୍ୟରେ ସହଯୋଗ ଭିତ୍ତିରେ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯିବ ଏବଂ ଏହା ଫଳରେ ମାନସିକ ଅନଗ୍ରସର ଶିଶୁମାନଙ୍କ ଚିକିତ୍ସାରେ ସଫଳ ଉପଲବ୍ଧି ମିଳିପାରିବ ବୋଲି ମନ୍ତ୍ରୀ କହିଛନ୍ତି ।