ଦୃଷ୍ଟିହୀନଙ୍କୁ ନୋଟ୍ ଚିହ୍ନାଇବ ମୋବାଇଲ ଆପ୍: ଆରବିଆଇ

ନୂଆଦିଲ୍ଲୀ,ଏଜେନ୍ସିମୋବାଇଲ୍ ଆପ୍ଲିକେସନ୍ ଜରିଆରେ ଦୃଷ୍ଟିହୀନମାନଙ୍କୁ ନୋଟ୍ ଚିହ୍ନଟରେ ସାହାଯ୍ୟ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତରଫରୁ ପ୍ରଥମ ପଦକ୍ଷେପ ନିଆଯାଇଛି। ଏହା ଅନ୍ତର୍ଗତ କେନ୍ଦ୍ରୀୟ ବ୍ୟାଙ୍କ ମୋବାଇଲ୍ ଆପ୍‌କୁ ବିକଶିତ କରିବା ଲାଗି ଏକ ସଫ୍ଟୱେର କମ୍ପାନୀ ଚୟନ କରିଛି। ସେପ୍ଟେମ୍ବର ୬ରେ ବମ୍ବେ ଉଚ୍ଚନ୍ୟାୟାଳୟଙ୍କୁ ଆରବିଆଇ କହିଥିଲା ଯେ ଏହି ପ୍ରସ୍ତାବିତ ମୋବାଇଲ୍‌ ଆପ୍ଲିକେସନ୍‌ ପାଇଁ ଇଣ୍ଟରନେଟ୍‌ର କୌଣସି ଆବଶ୍ୟକ ପଡ଼ିବନାହିଁ। ଅର୍ଥାତ୍ ଏହା ବିନା ଇଣ୍ଟର୍‌ନେଟ୍‌ରେ ଚାଲିବ।

 ଆରବିଆଇ ପକ୍ଷରୁ ଦସ୍ତାବିଜ୍‌ରେକୁହାଯାଇଛି ଯେ, ମୋବାଇଲ୍‌ ଆଧାରିତ ଏହି ଆପ୍‌କୁ ବିକଶିତ କରିବା ଲାଗି ୧୬ଟି ଭେଣ୍ଡର ବା ଠିକାସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ ଏବଂ ଅନ୍ତିମ ର୍ୟାଙ୍କିଙ୍ଗ୍ରେ ୫ଟି କମ୍ପାନୀ ବଳକା ରହିଥିଲେ। ଶେଷରେ ଡାଫୋଡିଲ୍ ସଫ୍ଟୱେର୍ ପ୍ରାଇଭେଟ୍ ଲିମିଟେଡ୍କୁଆପ୍ ବିକଶିତ କରିବା ଲାଗି ଚୟନ କରାଯାଇଛି। ବର୍ତ୍ତମାନ ସମୟରେ ୧, ୨, ୫, ୧୦୦, ୨୦୦, ୫୦ ଓ ୨,୦୦୦ ଟଙ୍କିଆ ବ୍ୟାଙ୍କନୋଟ୍ର ପ୍ରଚଳନ କରାଯାଉଛି। ମାତ୍ର ବିଭିନ୍ନ ସମୟରେ ଦୃଷ୍ଟିହୀନମାନଙ୍କୁ ଏହାର ଚିହ୍ନଟ କରିବା ଲାଗି ସମସ୍ୟା ହେଉଛି। ଦୃଷ୍ଟିହୀନମାନଙ୍କ ପାଇଁ ନୋଟ୍ ଚିହ୍ନଟକୁ ସୁଗମ କରିବା ତଥା ସେମାନଙ୍କ କ୍ଷେତ୍ରରେ କ୍ୟାଶ୍ ଆଧାରିତ ନେଣଦେଣକୁ ସଫଳ କରିବା ନିମିତ୍ତ ଆରବିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ନୋଟ୍ଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ  କରିବା ଲାଗି ଇଣ୍ଟାଗ୍ଲିଓ ପ୍ରିଣ୍ଟିଂ ଆଧାରିତ ଚିହ୍ନ ରହିଛି। ୧୦ ଟଙ୍କିଆ ଓ ଏହାଠୁ ଅଧିକ ମୂଲ୍ୟର ନୋଟ୍ ଉପରେ ହିଁ ଏହି ଚିହ୍ନ ରହିଛି। ଏହି ଆପ୍ ମହାତ୍ମା ଗାନ୍ଧୀ ଶୃଙ୍ଖଳ ଏବଂ ମହାତ୍ମା ଗାନ୍ଧୀ (ନୂତନ) ଶୃଙ୍ଖଳର ନୋଟ୍‌କୁ ଚିହ୍ନଟ କରିବାରେ ସକ୍ଷମ ହେବ।

ଏନେଇ ବ୍ୟବହାରକାରୀଙ୍କୁ ନୋଟ୍‌କୁ ଫୋନ୍‌ର କ୍ୟାମେରା ସାମନାରେ ରଖି ଫଟୋ ଉଠାଇବାକୁ ପଡ଼ିବ। ଯଦି ସଠିକ୍‌ ରୂପେ ଫଟୋଟି ଉଠାଯାଇଥିବ, ତେବେ ଅଡିଓ ନୋଟିଫିକେସନ ଜରିଆରେ ଏହି ଆପ୍‌ ଦୃଷ୍ଟିହୀନମାନଙ୍କୁ ନୋଟ୍‌ର ମୂଲ୍ୟ କହିବ। ଦେଶରେ ପ୍ରାୟ ୮୦ ଲକ୍ଷ ଦୃଷ୍ଟିହୀନ ବ୍ୟକ୍ତି ରହିଥିବାବେଳେ ଆରବିଆଇର ଏହି ପଦକ୍ଷେପ ଦ୍ୱାରା ସେମାନେ ଉପକୃତ ହେବେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।