ଏତଲାକାରୀଙ୍କୁ ଫୋନରେ ମାର୍କ ମାଗିଲେ ପୁଲିସ ଡିଜି

ଭୁବନେଶ୍ୱର,ଏନଏନଏସ୍: ସାବଧାନ! ଥାନାରେ କାହାରିକୁ ବ୍ୟବହାର ଖରାପ କରୁଛନ୍ତି କି? କାହାର ଏତଲା ରଖୁନାହାନ୍ତି କି? କାହାରିକୁ ହଇରାଣ ହରକତ କରୁଛନ୍ତି କି? ଯଦି କରୁଛନ୍ତି ସାବଧାନ ହୋଇଯାଆନ୍ତୁ, ପୁଲିସ ଡିଜି ବିଜୟ କୁମାର ଶର୍ମା ଲୋକଙ୍କ ଠାରୁ ଫିଡବ୍ୟାକ ନେବା ସହ ମାର୍ଗ ମାଗୁଛନ୍ତି। ଡିଜିପି ସନ୍ତୁଷ୍ଟ ହେଲେ ପୁରସ୍କାର ମିଳିବ, ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।

‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଓଡ଼ିଶା ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁଲିସ ଡିଜି ରାଜ୍ୟ କ୍ରାଇମରେକର୍ଡ ବ୍ୟୁରୋସ୍ଥିତ କଲ୍ସେଂଟରରୁ ଫୋନ କରି ସିଧାସଳକ ଅଭିଯୋଗକାରୀଙ୍କ ସହ କଥା ହୋଇଛନ୍ତି। ଥାନାରେ ତାଙ୍କୁ କିପ୍ରକାର ସୁବିଧା ମିଳିଲା, ସେ ନେଇ ପଚାରିବା ସହ ପ୍ରଶ୍ନର କେତେ ମାର୍କ ଦେବେ ତାହା ମଧ୍ୟ ପଚାରି ବୁଝିଥିଲେ।

ମଙ୍ଗଳବାର ପୁଲିସ ଡିଜି ଥିବା ରାଜ୍ୟ କ୍ରାଇମରେକର୍ଡ ବ୍ୟୁରୋସ୍ଥିତ କଲସେଂଟରରୁ ଅଭିଯୋଗକାରୀଙ୍କୁ ଫୋନ କରିଥିଲେ। ସିସିଟିଏନଏସରେ ଥିବା ନମ୍ବରକୁ ଆଧାର କରି ବିଭିନ୍ନ ଲୋକଙ୍କୁ ଫୋନ କରି ସିଧାସଳକ କଥା ହୋଇଥିଲେ। ଅଭିଯୋଗ ନେଇ ଥାନାକୁ ଯାଇଥିବା ବେଳେ ସେଠାରୁ ତାଙ୍କର ଏତଲା ରଖାଗଲା କି ନାହିଁ, ବ୍ୟବହାର ଠିକ ଭାବେ କରାଗଲା କି ନାହିଁ, ଏତଲା କପି ମେସେଜରେ ପଠାଗଲା କି ନାହିଁ, ଏଭଳି ୮ଟି ପ୍ରଶ୍ନ ପଚାରିଥିଲେ।

ଉକ୍ତ ପ୍ରଶ୍ନ ମଧ୍ୟରୁ କେଉଁ ପ୍ରଶ୍ନର କେତେ ମାର୍କ ମିଳବ, ତାହା ମଧ୍ୟ ପଚାରିଥିଲେ। ତେବେ ପୁଲିସ ଡିଜିଙ୍କ ଏଭଳି ଫୋନ କଲ ସାଧାରଣ ଜନତାଙ୍କୁ ଉତ୍ସାହିତ କରିଥିବା ବେଳେ ପୁଲିସ ମହଲରେ ଭୟର ବାତାବରଣ ସୃଷ୍ଟି କରିଛି।

ଆସନ୍ତା ଅକ୍ଟୋବର ୨ ତାରିଖରୁ ସାରା ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କୁ ଫୋନ କରି ସମସ୍ୟା ସମ୍ପର୍କରେ ପଚାରିବୁଝିବେ। ବିଶେଷ କରି ଥାନା-ଫାଣ୍ଡିକୁ ନ୍ୟାୟ ପାଇଁ ଆସୁଥିବା ଲୋକେ କିପରି ହଇରାଣ ହରକତ ନହେବେ, ସେ ନେଇ ଅଧିକ ଗୁରୁତ୍ୱ ଦିଆଯାଉଛି। ପୁଲିସ ଡିଜି ମୋ ସରକାର କାର୍ଯ୍ୟକ୍ରମ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଡିଜିପିଙ୍କ ସହ କ୍ରାଇମରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ରାଜେଶ କୁମାରଙ୍କ ସହ ବହୁବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।