ମୋ ସରକାର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ୪୦୦ କୋଟିର ପ୍ୟାକେଜ ଘୋଷଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୋ ସରକାର କାର୍ଯ୍ୟକ୍ରମ ଉପରେ ସୋମବାର ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଅକ୍ଟୋବର ୨ରେ ଗାନ୍ଧୀଜୟନ୍ତୀ ଅବସରରେ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ପୁଲିସ ଏବଂ ସ୍ୱାସ୍ଥ୍ୟସେବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ୧୦ ଦିନ ମଧ୍ୟରେ ସେ ୧୨୦ ଜଣଙ୍କ କଥା ହୋଇଛନ୍ତି ଓ ଲୋକଙ୍କ ଠାରୁ ବହୁତ ଭଲ ରେସପନ୍ସ ମିଳିଛି ଏବଂ ଲୋକଙ୍କ ମତାମତ ଅନୁସାରେ ବିଶେଷ ଅନୁଦାନ ମଞ୍ଜୁର କରାଯାଇଛି।

ଏହି କାର୍ଯ୍ୟକ୍ରମର ଉପଯୁକ୍ତ ନ୍ୟାୟ ଦେବାପାଇଁ ମୁଁ ବରିଷ୍ଠ ଅଧିକାରୀମାନଙ୍କୁ ୧୫ଟି ଜିଲ୍ଲାକୁ ଗସ୍ତ କରି କାର୍ଯ୍ୟକ୍ରମ ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲି। ଏହି ଅଧିକାରୀମାନଙ୍କ ମତାମତକୁ ନେଇ ସରକାର ନିମ୍ନଲିଖିତ ପଦକ୍ଷେପ ନିଆଯାଇଛି।

ବିଭିନ୍ନ ମେଡିକାଲରେ ଶଯ୍ୟା ସଂଖ୍ୟା ବଢ଼ିବା ନେଇ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଘୋଷଣା କରିଛନ୍ତି। ମାଲକାନଗିରି, ନବରଙ୍ଗପୁର କୋରାପୁଟ ମେଡିକାଲରେ ଶଯ୍ୟା ସଂଖ୍ୟା ବଢ଼ିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସ୍ପେଶାଲ ପ୍ୟାକେଜ ଘୋଷଣା କରିଛନ୍ତି। ମାଲାକାନଗିରି ଓ ନବରଙ୍ଗପୁର ମେଡିକାଲକୁ ଶଯ୍ୟା ସଂଖ୍ୟା ୨ଶହକୁ ବୃଦ୍ଧି କରାଯାଇଛି। କୋରାପୁଟ ଜିଲ୍ଲା ହସ୍ପିଟାଲ ଶଯ୍ୟା ସଂଖ୍ୟା ୨୫୦କୁ ବଢ଼ିବା ସହ ୨ଟି ଅଧିକ ଆମ୍ବୁଲାନ୍ସ ମିଳିବ।

ନବରଙ୍ଗପୁର ଜିଲ୍ଲା ମେଡିକାଲକୁ ୩ଟି ଆମ୍ବୁଲାନ୍ସ ଓ ମହାପ୍ରୟାଣ ଗାଡି ଦିଆଯିବ। ମାଲକାନାଗିରି ମେଡିକାଲ ପରିସରରେ ଟ୍ରାନଜିଟ ହୋମ ପ୍ରତିଷ୍ଠା କରିବା ନେଇ ମଧ୍ୟ ଘୋଷଣା କରାଯାଇଛି। ନବରଙ୍ଗପୁର ଜିଲ୍ଲା ମେଡିକାଲରେ ନୂତନ କୋଠାପାଇଁ ଅର୍ଥର ବ୍ୟୟବରାଦ କରାଯାଇଛି। ପ୍ରତ୍ୟେକ ହସ୍ପିଟାଲରେ ରୋଗୀ ଆଟେଣ୍ଡାଣ୍ଟଙ୍କ ପାଇଁ ଅପେକ୍ଷା ଗୃହ ନିର୍ମାଣ କରାଯିବ।
ସେହିଭଳି ମାଲକାନଗିରିରୁ ମୋଟୁକୁ ଦୈନିକ ବସ୍ ଚଳାଚଳ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି କୋରାପୁଟ ମେଡିକାଲ କଲେଜ ଶଯ୍ୟା ସଂଖ୍ୟା ୭ ଶହକୁ ବୃଦ୍ଧି କରାଯିବା ସହ ୫ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୪ଟି ରୋଗୀକଲ୍ୟାଣ ସମିତିକୁ ୧୫ ଲକ୍ଷ ଲେଖାଏଁ ଅନୁଦାନ ଦିଆଯାଇଛି। ସେହିପରି ରକ୍ତଦାନ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ କରାଯାଇଛି।