ଶୀତ ଋତୁ ପାଇଁ କମିଲା ‘ମୋ ବସ୍’ ଭଡ଼ା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଶୀତ ଋତୁ ପାଇଁ ମୋ ବସରେ ରିହାତି। ଯାତ୍ରୀଙ୍କୁ ଖୁସି କରିବା ସହିତ ମୋ ବସ୍ ପ୍ରତି ଯାତ୍ରୀଙ୍କୁ ଆକୃଷ୍ଟ କରାଇବା ପାଇଁ କ୍ରୁଟ୍ ପକ୍ଷରୁ ଆଗାମୀ ଦୁଇମାସ ପାଇଁ ଶୀତତାପ ନିୟନ୍ତ୍ରିତ ବସଭଡ଼ା ହ୍ରାସ କରାଯାଇଛି। ଶୀତତାପ ନିୟନ୍ତ୍ରିତ ଭଡ଼ାକୁ ୩୮ ପ୍ରତିଶତ କମାଯାଇଥିବା ବେଳେ ମାସିକ ପାସ୍ର ଦର ମଧ୍ୟ କମାଯାଇଛି। ଏହି ନୂଆ ଭଡା ଆସନ୍ତା ଡିସେମ୍ବର ୧ ତାରିଖରୁ ଲାଗୁ କରାଯିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ କ୍ର୍ରୁଟର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଜଣାଇଛନ୍ତି ଯେ, ଶୀତତାପ ନିୟନ୍ତ୍ରୀତ ବସର ପ୍ରଥମ ୨ କିମି ପାଇଁ ସର୍ବନିମ୍ନ ଭଡ଼ା ବର୍ତ୍ତର୍ମାନ ୮ ଟଙ୍କା ରହିଛି। ତେବେ ଏହାକୁ କମାଇ ୫ ଟଙ୍କା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ଶୀତତାପ ନିୟନ୍ତ୍ରୀତ ବସର ସର୍ବାଧିକ ଭଡ଼ା ୧୦୦ ଟଙ୍କା ପରିବର୍ତ୍ତେ ୭୦ ଟଙ୍କା ରଖାଯାଇଛି। ଶ୍ରୀମତି ମହାପାତ୍ର ଜଣାଇଛନ୍ତି ଯେ, ବର୍ତ୍ତମାନ ଶୀତତାପ ନିୟନ୍ତ୍ରୀତ ବସର ଭଡ଼ା ଅଣ ଶୀତତାପ ନିୟନ୍ତ୍ରୀତ ବସ ଭଡ଼ା ଠାରୁ ୬୦% ରୁ ୧୪୦% ଅଧିକା ରହିଛି।

ମାତ୍ର ଦରର ପରିବର୍ତ୍ତନ ହେବା ପରେ ଏହି ଭଡ଼ା ୩୦% କୁ ଖସି ଆସିବ। ଯାହାଦ୍ୱାରା ମୋ ବସ୍ ଯାତ୍ରୀମାନଙ୍କୁ ଏକ ନିଆରା ଅନୁଭବ ପ୍ରଦାନ କରିବା ସହ ଶୀତଋତୁରେ ଯାତ୍ରୀ ସଂଖ୍ୟା ବୃଦ୍ଧି କରିବା ପାଇଁ ଏହା ସହାୟକ ହେବ। ଏହି ନୁଆ ଦର ଆଗାମୀ ଡିସେମ୍ବର ପହିଲାରୁ ଆରମ୍ଭ ହୋଇ ଫେବୃଆରୀ ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ବ୍ୟତୀତ ଉଭୟ ଶୀତତାପ ନିୟନ୍ତ୍ରୀତ ବସ୍ ଓ ଅଣଶୀତତାପ ନିୟନ୍ତ୍ରୀତ ବସଭଡାର ସୁବ୍ୟବସ୍ଥୀକରଣ କରିବା ପାଇଁ ପ୍ରତ୍ୟେକ ଭଡାକୁ ୫ଟଙ୍କାର ଗୁଣିତକରେ ନିର୍ଦ୍ଧାରିତ କରାଯାଇଛି। ଯାହାଦ୍ୱାରା ଯାତ୍ରୀମାନଙ୍କୁ ଟିକେଟ୍ ଭଡା ଦେବା ପାଇଁ ସୁବିଧା ହେବ। ଯେପରିକି ଅଣ ଶୀତତାପ ନିୟନ୍ତ୍ରୀତ ବସଭଡା ବର୍ତ୍ତମାନ ପରିପ୍ରେକ୍ଷୀରେ ଯଥାକ୍ରମେ ୫, ୮, ୧୦, ୧୩, ୧୫ ଓ ୧୭ ଟଙ୍କା ଇତ୍ୟାଦିରେ ପ୍ରଚଳିତ ଅଛି।

ତାହା ନୁଆ ଭଡାରେ ୫, ୧୦, ୧୫ ଓ ୨୦ କ୍ରମରେ ପରିବର୍ତ୍ତିତ କରାଯିବ। ଏହି ପ୍ରକ୍ରିୟା ଦ୍ୱାରା ପଇସା ନେଣଦେଣ ପାଇଁ ଉଭୟ ଯାତ୍ରୀ ଓ ବସଗାଇଡ୍ ମାନଙ୍କ ପାଇଁ ସମୟ ମଧ୍ୟ ବଞ୍ଚାଇବ। ଯଦ୍ୱାରା ଅଧିକ ଭିଡ଼ ସମୟରେ ଏହା ବିଶେଷ ରୂପେ ସହାୟକ ହେବ। ବସଭଡା ପରିବର୍ତ୍ତନ କ୍ରମରେ ଶତକଡ଼ା ୪୧ ଭାଗ ଅଣ ଶୀତତାପ ନିୟନ୍ତ୍ରୀତ ବସଯାତ୍ରୀ ରିହାତି ପାଇବେ। ମାତ୍ର ୯ଭାଗ ଯାତ୍ରୀ ସାମାନ୍ୟ ମୁଲ୍ୟ ବୃଦ୍ଧିରେ ପ୍ରଭାବିତ ହେବେ, ଯାହାକି ମାତ୍ର ୧ ବା ୨ ଟଙ୍କା ବୃଦ୍ଧିହେବ। ବାକି ୫୦ ପ୍ରତିଶତ ଯାତ୍ରୀ ଏହି ମୁଲ୍ୟବୃଦ୍ଧି ଦ୍ୱାରା ଆଦୌ ପ୍ରଭାବିତ ହେବେନାହିଁ। ବିଶେଷତଃ ଶୀତତାପ ନିୟନ୍ତ୍ରୀତ ବସରେ ଯାତ୍ରୀମାନେ ସମ୍ପୂର୍ଣ୍ଣଭାବେ ଏହି ରିହାତିର ସୁଯୋଗ ପାଇପାରିବେ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱର ପାସ୍ ବର୍ତ୍ତମାନର ଦର ରିହାତି ଦର
ଅଣ ଶୀତତାପ ନିୟନ୍ତ୍ରୀତ ୬୦୦ ଟଙ୍କା ୫୫୦ ଟଙ୍କା
ଶୀତତାପ ନିୟନ୍ତ୍ରୀତ ୯୦୦ ଟଙ୍କା ୭୫୦ ଟଙ୍କା

ମ୍ୟାଜିକ୍ ପାସ୍ ବର୍ତ୍ତମାନର ଦର ରିହାତି ଦର
ଅଣ ଶୀତତାପ ନିୟନ୍ତ୍ରୀତ ୧୨୦୦ ଟଙ୍କା ୧୧୦୦ ଟଙ୍କା
ଶୀତତାପ ନିୟନ୍ତ୍ରୀତ ୧୮୦୦ ଟଙ୍କା ୧୫୦୦ ଟଙ୍କା