ସବୁ ରୁଟ୍‌ରେ ଗଡିବ ‘ମୋ ବସ’, ବାହାର ରାଜ୍ୟ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ସମସ୍ତ ରୁଟରେ ଗଡ଼ିବ ‘ମୋ ବସ୍‌’। ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ସପ୍ତାହାନ୍ତ ସଟଡାଉନରେ କେବଳ ରେଳ ଷ୍ଟେସନ୍‌ ଓ ବିମାନ ବନ୍ଦରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରୁଟରେ ମୋ ବସ୍‌ ସେବା ବନ୍ଦ ରହିବ। ବସରେ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କ୍ରୁଟର ପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି। କରୋନା କଟକଣା କୋହଳ ହେବାପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ୨୫ଟି ରୁଟରେ ୧୯୪ଟି ବସ ଚଳାଚଳ କରିବ।

ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ଶନିବାର ଓ ରବିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିମାନ ବନ୍ଦର ଓ ରେଳ ଷ୍ଟେସନରୁ କଟକ ଏବଂ ଭୁବନେଶ୍ୱର ଆସୁଥିବା ଯାତ୍ରୀମାନଙ୍କୁ ଏହି ସ୍ୱତନ୍ତ୍ର ସଟଲ ବସ୍‌ ସେବା ଯୋଗାଇ ଦିଆଯିବ । ବସ୍‌ରେ ଯାତ୍ରା ସମୟରେ କୌଣସି ଯାତ୍ରୀ ଛିଡା ହୋଇଯିବେନି। ଯେତିକି ସିଟ୍‌ ସେତିକି ଲୋକ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଯାତ୍ରୀମାନେ ନିଜ ପାଖରେ ସାନିଟାଇଜର୍‌ ରଖିବାକୁ ପରାମର୍ଶ ଦିଆଯାଇଛି।