ଖୁବଶୀଘ୍ର ପୁରୀରୁ କୋଣାର୍କ ଗଡ଼ିବ ‘ମୋ ବସ୍’

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖୁବଶୀଘ୍ର ପୁରୀରୁ କୋଣାର୍କ ଗଡ଼ିବ ‘ମୋ ବସ୍’ । ମୋ ବସ୍ ସେବା ପ୍ରଦାନ ପାଇଁ ସରକାରଙ୍କ ପକ୍ଷରୁ ଏବେ ବାର୍ଷିକ ୫୫କୋଟି ଟଙ୍କା ସବସିଡି ଦିଆଯାଉଛି। ଅନ୍ୟପକ୍ଷରେ ଏହି ସେବା ଭୁବନେଶ୍ୱର, କଟକ ପରେ ପୁରୀ-କୋଣାର୍କ ସହ ଯୋଡ଼ି ହେବ ବୋଲି କ୍ଷେତ୍ରୀୟ ଅନୁମତି ପ୍ରଦାନ କରାଯାଇଛି।

କେବଳ ସେତିକି ନୁହେଁ, ରାଜଧାନୀରେ ଯାତ୍ରୀଙ୍କୁ ସୁବିଧା ଯୋଗାଇ ଦେବାଲାଗି ଖୁବ୍ଶୀଘ୍ର ୫୦ଟି ଇଲେକ୍ଟ୍ରି ବସ୍ ଗମନାଗମନ କରିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି। ସେହିପରି ୨୦୧୯ ଡିସେମ୍ବର ଶେଷ ସୁଦ୍ଧା ମୋ ବସ୍ ରେ ଦୈନିକ ଯାତ୍ରୀ ସଂଖ୍ୟା ୧ ଲକ୍ଷରେ ପହଞ୍ଚିବ। ବାର୍ଷିକ ସରକାରଙ୍କ ପକ୍ଷରୁ ମୋ ବସ୍ ସେବା ପ୍ରଦାନ ପାଇଁ ୫୫ କୋଟି ଟଙ୍କା ସବସିଡି ଦିଆଯାଉଛି।

ବର୍ତ୍ତମାନ କଟକ ଓ ଭୁବନେଶ୍ୱରରେ ୨୦ଟି ରୁଟରେ ଦୈନିକ ୧୮୦୦ ଥର ୭୦ ହଜାର ଯାତ୍ରୀମାନଙ୍କୁ ନେଇ ୨୦୦ଟି ମୋ ବସ୍ ଯାତାୟାତ କରୁଛି। ଏହି ବସଗୁଡ଼ିକରେ ମାଗଣା ୱାଇଫାଇ, ଡିଜିଟାଲ୍ ଘୋଷଣା ପତ୍ର, ଏଲ୍ଇଡି ଦୃଶ୍ୟ ବୋର୍ଡ, ସଂନିରୀକ୍ଷଣ କ୍ୟାମେରା ଓ ବୈଦ୍ୟୁତିକ ଟିକେଟ୍ ପରି ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ। ଯାତ୍ରୀମାନଙ୍କର ସୁବିଧା ପାଇଁ ମୋ ବସ୍ ଆପ୍ଲିକେସନ୍ ସମସ୍ତ ସ୍ମାର୍ଟ ଫୋନରେ ଉପଲବ୍ଧ ଯାହା ଦ୍ୱାରା ଯାତ୍ରୀମାନେ ମୋ ବସ୍ର ଲାଇଭ୍ ଟ୍ରାକିଂ, ଗନ୍ତବ୍ୟ ପଥର ସୂଚନା, ଯାତ୍ରା ସମ୍ବନ୍ଧୀୟ ଯୋଜନା ଏବଂ ବୈଦ୍ୟୁତିକ ଟିକେଟ୍ ବ୍ୟବସ୍ଥାର ସୁବିଧା ସୁଯୋଗ ହାସଲ କରିପାରିବେ।