ପୁରୀ ବ୍ଲୁ ଫ୍ଲାଗ ବିଚରେ ଚାଲିଥିବା ଦୁଇଦିନିଆ ‘ମୋ ବିଚ’ ଯୋଗ ଶେଷ

ପୁରୀ,ଏନ୍ଏନ୍ଏସ୍: ପୁରୀ ବ୍ଲୁ ଫ୍ଲାଗ ବିଚରେ ଚାଲିଥିବା ଦୁଇଦିନିଆ ମୋ ବିଚ ଯୋଗ ଶେଷ ହୋଇଛି । ଦ୍ଵିତୀୟ ଦିବସରେ ସାମିଲ ହୋଇଥିଲେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ। ଉଭୟ କୋଭିଡରେ ଆକ୍ରାନ୍ତ ହୋଇଥିଲେ ଓ କୋଭିଡର କଷ୍ଟକୁ ଅତିନିକଟରୁ ଅନୁଭବ କରିଛନ୍ତି । ଆଜି ଉଭୟ ଯୋଗାଭ୍ୟାସ କରିଥିଲେ । ଆୟୁଷ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏବଂ ବେଳାଭୂମି ତଟ ପରିଚାଳନା କମିଟି ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି ମୋ ବିଚ କାର୍ଯ୍ୟକ୍ରମରେ କରୋନା ମହାମାରୀକୁ ହରାଇଥିବା ୨୦୦ ଜଣ କୋଭିଡ ଯୋଦ୍ଧା ଯୋଗ ଦେଇ ଯୋଗ ଅଭ୍ୟାସ କରିଥିଲେ।

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରଶିକ୍ଷଣ ପ୍ରାପ୍ତ ପ୍ରଶିକ୍ଷକ ଯୋଗ ଦେଇ କୋଭିଡ ଯୋଦ୍ଧାଙ୍କୁ ଯୋଗ ଶିଖାଇଥିଲେ । ଏହି ଅନନ୍ୟ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଦ୍ୱାରା ମାନସିକ ସୁସ୍ଥତା ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯିବ । ବ୍ଲୁ ଫ୍ଲାଗ ବିଚର ସ୍ଥିରୀକୃତ ୧୦ଟି ସ୍ଥାନରେ ୨୦ ଜଣ ଲେଖାଏଁ କୋଭିଡ ଯୋଦ୍ଧା କୋଭିଡ କଟକଣା ଓ ସାମାଜିକ ଦୂରତ୍ୱ ରକ୍ଷା କରି ଯୋଗ କରିଥିଲେ। ବିଶେଷ କରି ଫୁସଫୁସ ଓ ହୃତପିଣ୍ଡ ଜନିତ ସମସ୍ୟାରୁ କେମିତି ମୁକ୍ତି ମିଳିବ ତାକୁ ନେଇ ଯୋଗ ଶିକ୍ଷକମାନେ ଯୋଗାଭ୍ୟାସ କରାଇଥିଲେ ।