ଦେବଗଡ,ଏନ୍ଏନ୍ଏସ୍: ଦେବଗଡ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ସମ୍ବଲପୁର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବାରୁ ଆଜି(ବୁଧବାର) ତାଙ୍କୁ ଦେବଗଡ ମେଡିକାଲରୁ ବୁର୍ଲା ଭୀମ୍ସାରକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଘଟଣାରେ ଭୁବନେଶ୍ବରରେ ଗିରଫ କରିଥିଲା ପୁଲିସ।
ଗିରଫ ପରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ୧ ତାରିଖରେ ଦେବଗଡ କୋର୍ଟରେ ହାଜର ପାଇଁ ନିଆଯାଉଥିବାବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। ଏହା ପରେ ବିଧାୟକଙ୍କୁ ରିଆମାଳ ବ୍ଲକ ଅନ୍ତର୍ଗତ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବିଧାୟକ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଦେବଗଡ କୋର୍ଟରେ ହାଜର କରାଯାଇଥିଲା।
ପୁଣି ଥରେ ବିଚାର ବିଭାଗୀୟ ହାଜତରେ ବିଧାୟକ ପାଣିଗ୍ରାହୀ ଅସୁସ୍ଥ ହେବାରୁ ତାଙ୍କୁ ୧ ତାରିଖ ଦିନ ରାତିରେ ଜେଲ କର୍ତ୍ତୃପକ୍ଷ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେ ମଧୁମେୟ ରୋଗୀ ହୋଇଥିବାରୁ ତାଙ୍କର ଶର୍କରା ସ୍ତର ମାତ୍ରାଧିକ ବୃଦ୍ଧି ପାଇବା ସହ ଉଚ୍ଚ ରକ୍ତଚାପ ମଧ୍ୟ ବୃଦ୍ଧି ହୋଇଥିଲା।
ମାତ୍ର ଆଜି ବିଧାୟକଙ୍କ ଅବସ୍ଥା ଗୁରୁତର ହେବାରୁ କଡା ସୁରକ୍ଷା ମଧ୍ୟରେ ବୁର୍ଲା ମେଡିକାଲକୁ ସ୍ତାନାନ୍ତର କରାଯାଇଛି। ବିଧାୟକଙ୍କୁ ବୁର୍ଲା ମେଡିକାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଛି। ଏଥିସହ ତାଙ୍କ ଜରୁରୀକାଳୀନ ୱାର୍ଡର ୧ ନମ୍ବର ବେଡରେ ତାଙ୍କର ଚିକିତ୍ସା ଚାଲିଛି ବୋଲି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।