ବିଦା ହେଲେ ବିଧାୟକ ପ୍ରଶାନ୍ତ ଜଗଦେବ

  • ଭୁବନେଶ୍ୱର: ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବିଶୃଙ୍ଖଳିତ ଆଚରଣ ମହଙ୍ଗା ପଡ଼ିଛି। ଆଜି ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପକ୍ଷରୁ ବରଖାସ୍ତ କରାଯାଇଛି। ଏହା ସହିତ ତାଙ୍କୁ ବିଜେଡିରୁ ମଧ୍ୟ ନିଲମ୍ବନ କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାଡ଼ିକିଆ ନିର୍ଦ୍ଦେଶନାମାରେ ଶ୍ରୀ ଜଗଦେବଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ତାଙ୍କୁ ନିଲମ୍ବନ କରାଯିବାର କାରଣ ସମ୍ପର୍କରେ କିଛି ଦର୍ଶାଯାଇନଥିଲେ ମଧ୍ୟ ବାଲୁଗାଁ ନଗର ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିବା ତାଙ୍କୁ ମହଙ୍ଗା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି। ଏହାସହିତ ପୁଲିସକୁ ଆଇନ ଅନୁସାରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସବୁଜ ସଙ୍କେତ ଦିଆଯାଇଥିବା ଜଣାପଡ଼ିଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୪ରୁ ବିଜେଡି ଟିକେଟରେ ବିଧାୟକ ହେବାପରେ ଶ୍ରୀ ଜଗଦେବ ବିଭିନ୍ନ ସମୟରେ ନିଜର ଦବଙ୍ଗଗିରି ଦେଖାଇ ବିବାଦରେ ରହିଆସିଛନ୍ତି।
  • କେଉଁଠି ସରକାରୀ ଅଧିକାରୀଙ୍କୁ ମାଡ଼ ତ କେଉଁଠି ଉଠାଦେକାନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାର ନଜିର ରହିଛି। କିନ୍ତୁ ସେତେବେଳେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରୁନଥିବା ବିଜେଡି ଏବେ ତାଙ୍କୁ ନିଲମ୍ବନ କରି ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛି। ଚିଲିକା ନିର୍ବାଚନମଣ୍ଡଳୀ ଉପରେ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଦୀର୍ଘଦିନ ଧରି ନଜର ପକାଇଥିବାବେଳେ ଶ୍ରୀ ଜଗଦେବଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଶ୍ରୀ ଜଗଦେବଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ ପରୋକ୍ଷରେ ଶ୍ରୀ ମଙ୍ଗରାଜଙ୍କ ରାଜନୀତିକ କ୍ୟାରିୟରକୁ ଆଗେଇ ନେବାରେ ସହାୟକ ହେବ ବୋଲି ଚର୍ଚ୍ଚା।
  • ସୂଚନାଯୋଗ୍ୟ, ବାଲୁଗାଁ ନଗର ବିଜେପି ସଭାପତିଙ୍କୁ ମାଡ଼ ମାରିବା ନେଇ ବିଜେପି କର୍ମୀମାନେ ଧାରଣା ଦେବା ସହ ବିଧାୟକ ଶ୍ରୀ ଜଗଦେବଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି। ଶ୍ରୀ ଜଗଦେବଙ୍କ ବିରୋଧରେ ୨୦୧୬ ମସିହାରେ ବୋଲଗଡ଼ର ତତ୍କାଳୀନ ମହିଳା ତହସିଲଦାରଙ୍କୁ ମାଡ଼ ମାରିବା, ବେଗୁନିଆର ପୂର୍ବତନ ସରପଞ୍ଚ ନବକିଶୋର ସ୍ୱାଇଁଙ୍କୁ ଧମକାଇବା, ମନମୁଣ୍ଡାରେ ବିଜେପି କର୍ମୀଙ୍କୁ ମାଡ଼, ଭୁବନେଶ୍ୱରରେ ଉଠା ଦୋକାନୀଙ୍କୁ ଅଶାଳୀନ ଭାଷାରେ ଗାଳି କରିବା, ପୁରୀ ମନ୍ଦିର ପରିସରରେ ଜିଲ୍ଲା ଏସପିଙ୍କୁ ଗାଳିଗୁଲଜ କରି ବିବାଦ ଘେରରେ ପ୍ରଶାନ୍ତ ଜଗଦେବ ରହି ଆସିଥିଲେ।