ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଭୂମି ପୂଜନ କଲେ ବିଧାୟକ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲ ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭୂମି ପୂଜନ କାର୍ଯ୍ୟକ୍ରମ ସ୍ଥାନୀୟ ବିଧାୟକ ସରୋଜ କୁମାର ମେହେର ସମ୍ପନ୍ନ କରିଛନ୍ତି। ପାଟଣାଗଡ଼ ବିଜ୍ଞପିତ ଅଞ୍ଚଳ ପରିଷଦର ମାୟାବତୀ ନଦୀ ଦେଇ କୁକୁରମୁଣ୍ଡାକୁ ଯାଇଥିବା ରାସ୍ତାରେ ୫ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଜୁ ସେତୁ ନିର୍ମାଣ ହେବ। ସେହିପରି ତମିଆଁ ପଞ୍ଚାୟତର ଭଟପାଲିରୁ ଧୁବଳପଡ଼ାକୁ ସଂଯୋଗ କରୁଥିବା ରାସ୍ତା ଉପରେ ଜନସାଧାରଣଙ୍କ ଗମନାଗମନର ସୁବିଧାକୁ ଦୃଷ୍ଟିରେ ରଖି ୧୦କୋଟି ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସୁକତେଲ ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଭୂମି ପୂଜା ସମ୍ପନ୍ନ ହୋଇଛି। ସେହିଭଳି ବେଲପଡ଼ା ବ୍ଲକରେ ପୂର୍ତ୍ତ ଓ ରାସ୍ତା ବିଭାଗ ପକ୍ଷରୁ ୮କୋଟି ୨୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସମ୍ପାଦିତ ହେବାକୁ ଥିବା ନୁନହାଡ଼-ତୁରେକେଲା ରାସ୍ତା, ୮କୋଟି ୪୨ଲକ୍ଷ ୭୭ ହଜାର ବ୍ୟୟ ଅଟକଳରେ ବେଲପଡ଼ା-ମଣ୍ଡଳ-ଧୁମାଭଟା ରାସ୍ତାର ଉନ୍ନତିକରଣ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ହେବାକୁ ଥିବା ଧୁମାଭଟା ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, କାନୁଟସ୍ଥିତ କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ଛାତ୍ରୀ ନିବାସ ନିର୍ମାଣ ଇତ୍ୟାଦି ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସମସ୍ତ କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ହିମାଞ୍ଚଳ ପ୍ରଧାନ, ବିଜେଡି ମିଡିଆ ପ୍ରଭାରୀ ପ୍ରଦୀପ ମେହେର, ପ୍ରମୋଦ ମେହେର, ସୁଜିତ ମେହେର, ଗଣେଶ କୁମ୍ଭାର, ଦୁର୍ଯ୍ୟୋଧନ କୁମ୍ଭାର ଓ ମୁନା ମେହେର ପ୍ରମୁଖ ଉପସ୍ଥିତ ଥିଲେ।