ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଶ୍ୱକର୍ମା ସାଜିଛନ୍ତି ବିଧାୟକ ମନୋହର ରନ୍ଧାରୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ମନୋହର ରନ୍ଧାରୀ ବିଶ୍ୱକର୍ମା ସାଜିଛନ୍ତି । ଉକ୍ତ ନିର୍ବାଚନ ମଣ୍ଡଳୀର ଡାବୁଗାଁ, ପାପଡ଼ାହାଣ୍ଡି ଓ କୋଷାଗୁମୁଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ମାରାଥନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଶୁଭ ଉଦଘାଟନ କରିଛନ୍ତି । ଏଥିରେ ୨୮୦ କୋଟି ଟଙ୍କାର ୧୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ମୁଖ୍ୟତଃ ପୂର୍ତ୍ତ ବିଭାଗ ପକ୍କା ରାସ୍ତା ଯୋଜନାରେ ନବରଙ୍ଗପୁରରୁ ସିଧାସଳଖ ଛତିଶଗଡ଼କୁ ସଂଯୋଗ କରିବ । ଆରଡ଼ି ରାସ୍ତା ନିର୍ମାଣରେ ଗ୍ରମ୍ୟାଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ନିର୍ମାଣ ହେବାଦ୍ୱାରା ନବରଙ୍ଗପୁର ଜିଲ୍ଲାରୁ ଛତିଶଗଡ଼ ପର୍ଯ୍ୟନ୍ତ ଗମନାଗମନର ସୁବିଧା ସଙ୍ଗେ ସଙ୍ଗେ ବାଣିଜ୍ୟ କାରବାର ଓ ଆର୍ôଥକ ଅଭିବୃଦ୍ଧି ପାଇଲେ ସାଧାରଣ ଜନତା ବିଶେଷ ଭାବରେ ଉପକୃତ ହେବେ । ଏହାବ୍ୟତୀତ ଗ୍ରାମାଞ୍ଚଳରେ ପକ୍କା ରାସ୍ତା ନିର୍ମାଣ ହେଲେ ଜରୁରୀକାଳୀନ ସେବା ଓ ସୁରକ୍ଷିତ ଯାତାୟାତ ହୋଇପାରିବ ବୋଲି ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ବିଧାୟକ ମନୋହର ରନ୍ଧାରୀ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ହେମଲତା ମାଝୀ, ଉପାଧ୍ୟକ୍ଷା ସୁଶାନ୍ତ କୁମାର ବେହେରାଙ୍କ ସମେତ ବିଜେଡି ନେତା ପରେଶ ଜେନା, ଯୋଗେନ୍ଦ୍ର ସ୍ୱାଇଁ, ମଳୟ ବିଷୋୟୀ, ବଦ୍ରି ନାରାୟଣ ସିଂହଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବିରାଟ ଶୋଭାଯାତ୍ରାରେ କର୍ମୀମାନେ ନେତାଙ୍କୁ ପାଛୋଟି ନେଉଥିଲେ । ବିଧାୟକ ଓ ସାଂସଦଙ୍କ ଧେମସା ନୃତ୍ୟ କର୍ମୀଙ୍କୁ ଉତ୍ସାହିତ କରିଥିଲା ।