ଅପହଞ୍ଚ ଇଲାକାରେ ପଡିଲା ବିଧାୟକଙ୍କ ପାଦ

୪କିମି ପାହାଡିଆ ରାସ୍ତାରେ ଚାଲିଲେ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଓ ପ୍ରବଣ ଗୁଡାରୀ ବ୍ଳକ୍ ପେଣ୍ଡିଲି ପଂଚାୟତର ଦୁର୍ଗମ ଲଦ୍ରି ଗ୍ରାମକୁ ରବିବାର ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ପରିଦର୍ଶନ କରିବାକୁ ଯାଇଥିଲେ । ଦୁର୍ଗମ ମୂଲକର ଲଦ୍ରି ଗ୍ରାମରେ ଗୁଣୁପୁର ବିଧାୟକ ପହଂଚିବା ପରେ ସେହି ଗ୍ରାମର ଲୋକେ ଚକିତ ହୋଇପଡିଥିଲେ। କାରଣ ୫୦ଟି ପରିବାର ବସବାସ କରୁଥିବା ଲାଦ୍ରି ଗ୍ରାମବାସୀଙ୍କୁ ସ୍ୱାଧୀନତା ସତେ ଯେପରି ସେମାନଙ୍କୁ ସ୍ପର୍ଶ କରି ନ ଥିବା ଦେଖିବାକୁ ମିଳିଥିଲା ।

ଏହି ଗ୍ରାମକୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବିଶେଷକରି ଗମନାଗମନର ସୁବିଧା ନାହିଁ । ଗୁଣୁପୁର ବିଧାୟକ ଶ୍ରୀ ଗମାଙ୍ଗ ବନିଂ ଠାରୁ ଦୁର୍ଗମ ପାହାଡିଆ ରାସ୍ତାରେ ଚାରି କିଲୋମିଟିର ଚାଲି ଚାଲି ଯାଇ ଶେଷରେ ଲଦ୍ରିରେ ପହଂଚିଥିଲେ । ଏହି ଗ୍ରାମକୁ କେବେ ହେଲେ କୌଣସି ଜନପ୍ରତିନିଧିଙ୍କ ପାଦପଡିନାହିଁ । କିନ୍ତୁ ରବିବାର ବିଧାୟକଙ୍କ ଗାଁକୁ ଆସିବା ଦେଖି ଲୋକଙ୍କ ମନରେ ନୂତନ ଆଶା ସଂଚାର ହୋଇଛି। ବିଧାୟକ ଶ୍ରୀ ଗମାଙ୍ଗଙ୍କୁ ଗ୍ରାମବାସୀମାନେ ଗ୍ରାମକୁ ପକ୍କା ରାସ୍ତା, ପାନୀୟ ଜଳ ସମସ୍ୟାର ଆଶୁ ସମାଧାନ ପାଇଁ ଅନୁରୋଧ ପୂର୍ବକ ଦାବୀ କରିବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପ୍ରତି ଦୃଷ୍ଟି ଦେବାକୁ ଦାବୀ କରିଥିଲେ ।

ରାଜ୍ୟ ସରକାର ୫-ଟିକୁ ଗୁରୁତ୍ୱ ଦେଉଥିବାରୁ ବିଧାୟକ ଶ୍ରୀ ଗମାଙ୍ଗ ଦୁର୍ଗମ ମୂଲକରେ ପହଂଚି ଲୋକଙ୍କ ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶ୍ର୍ରୁତି ଦେଇଥିବା ଜଣାଯାଇଛି। ବିଧାୟକ ଶ୍ରୀ ଗମାଙ୍ଗ ଗ୍ରାମବାସୀଙ୍କ ଦାବୀଗୁଡିକୁ ତୁରନ୍ତ ସମାଧାନ କରିବା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି । ଏହି ଗସ୍ତ ବେଳେ ବିଧାୟକଙ୍କ ସହ ବିଜେଡି ନେତା ସନ୍ତୋଷ ମହାନ୍ତି, କେଦାର ସାହୁ, ବହୁ ଦଳୀୟ କର୍ମୀଙ୍କ ସହ ବିଭିନ୍ନ ବିଭାଗର ବ୍ଳକ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।