୧୫ଘଣ୍ଟା ପରେ ଅନଶନରୁ ଓହରିଲେ ବିଧାୟକ

ବାଲେଶ୍ୱର,ଏନ୍ଏନ୍ଏସ୍: ଦୀର୍ଘ ୧୫ଘଣ୍ଟା ପରେ ଅନଶନ ଭାଙ୍ଗିଲେ ବିଧାୟକ। ତହସିଲଦାର ଓ ବିଧାୟକଙ୍କ ମୁହାଁମୁହିଁ ଘଟଣାକୁ ନେଇ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଅନଶନରେ ବସିଥିଲେ। ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ରାତି ୧୧ଟା ୩୦ରେ ଘଟଣାସ୍ଥଳରେ ପହଞ୍ଚି ବିଧାୟକଙ୍କ ସହ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବାପରେ ବିଧାୟକ ଅନଶନରୁ ଓହରିଥିଲେ।

ସୂଚନା ଅନୁସାରେ ଶୁକ୍ରବାର ତହସିଲ ଅଫିସ ଆଗରୁ ମୋହରୀଙ୍କ ଚାଳିଆକୁ ଉଚ୍ଛେଦ କରାଯାଉଥିବାବେଳେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏହାକୁ ବିରୋଧ କରିବା ସହ ସେ କହିଥିଲେ ପ୍ରଥମେ ସେମାନଙ୍କୁ ଥଇଥାନ ନ କରି କାହିଁକି ଭାଙ୍ଗୁଛ ବୋଲି ପଚାରିଥିଲେ। ଏହି କଥାକୁ ନେଇ ତହସିଲଦାର ଓ ବିଧାୟକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏଥିରେ ତହସିଲଦାର ବିଧାୟକଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ବିଧାୟକ ଉପଜିଲ୍ଲାପାଳ ଓ ତହସିଲ ଆଗରେ ଧାରଣା ଦେବା ସହ ଅନଶନ କରିଥିଲେ।