ବରଗଡ଼,ଏନ୍ଏନ୍ଏସ୍: ଅତାବିରା ବ୍ଲକ୍ କୁଲୁଣ୍ଡା ଗ୍ରାମର କ୍ୟାନସର ଆକ୍ରାନ୍ତ ରତ୍ନାବତୀ ପ୍ରଧାନଙ୍କ ଚିକିତ୍ସା ପାଇଁ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରଥମ ମାସର ଔଷଧ ପ୍ରଦାନ କରିଛନ୍ତି। ବିଧାୟିକା ଛୁରିଆ ନିଜେ କୁଲୁଣ୍ଡା ସ୍ଥିତ ରତ୍ନାବତୀଙ୍କ ଘରକୁ ଯାଇ ଏହି ଔଷଧ ପ୍ରଦାନ କରିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ, କୁଲୁଣ୍ଡା ଗ୍ରାମର ଗିରିଧାରୀ ପ୍ରଧାନଙ୍କ ଝିଅ ରତ୍ନାବତୀଙ୍କ ୨୦୧୮ ମସିହାରେ ଫୁସଫୁସ ଜନିତ କର୍କଟ ରୋଗ ଚିହ୍ନଟ ହୋଇଥିଲା। ଏନେଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ। ଜିଲ୍ଳା ପ୍ରଶାସନ ତରଫରୁ ସହାୟତା ପାଇ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ଅପରପକ୍ଷେ ମାସିକ ଏକ ଲକ୍ଷରୁ ଅଧିକ ଟଙ୍କାର ଔଷଧ ଖାଇବାକୁ ପଡିବ ବୋଲି ଡାକ୍ତରଙ୍କ ପରାମର୍ଶ ପରେ ପରିବାର ବର୍ଗ ଅସହାୟ ହୋଇପଡିଥିଲେ।
ଏହି ଘଟଣା ଜାଣିବା ପରେ ଅତାବିରା ବିଧାୟିକା ଶ୍ରୀମତୀ ଛୁରିଆ ତାଙ୍କ ଘରକୁ ଯାଇ ପାଞ୍ଚ ମାସର ଚିକିତ୍ସା ଖର୍ଚ୍ଚ ବହନ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଏହି କ୍ରମରେ ସୋମବାର ଶ୍ରୀମତୀ ଛୁରିଆ ରତ୍ନାବତୀଙ୍କ ପାଇଁ ଦିଲ୍ଲୀରୁ ମଗାଇଥିବା ଏକ ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ଔଷଧ ପ୍ରଦାନ କରିଥିଲେ। ସେହିପରି ଆସନ୍ତା ୪ ମାସ ମଧ୍ୟ ବିଧାୟିକା ଶ୍ରୀମତୀ ଛୁରିଆ ଔଷଧ ଯୋଗାଇବେ ବୋଲି ଜଣାପଡ଼ିଛି। ଏନେଇ ବିଧାୟିକା ଶ୍ରୀମତୀ ଛୁରିଆଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।