ବିଧାୟକ ପାଣ୍ଠିରୁ କରୋନା ପରିଚାଳନା ଖର୍ଚ୍ଚ, ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ: କ୍ଷୋଭ ପ୍ରକାଶ କଲେ ବିଧାୟକ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଗତ ୧ ବର୍ଷ ମଧ୍ୟରେ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ରହିଛି। ରାଜ୍ୟ ସରକାରଙ୍କ ପାଣ୍ଠିରୁ ଟଙ୍କା ଆସୁ ନଥିବାରୁ ଜିଲ୍ଲାର ବିକାଶରେ ଅନ୍ତରାୟ ସୃଷ୍ଟି ହୋଇଛି। ଏଭଳି ଅଭିଯୋଗ କରି ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ। ଆଜି ସନ୍ଧ୍ୟାରେ ବିଧାୟକ ବାସଭବନରେ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିିଳନୀରେ ବିଧାୟକ ଶ୍ରୀ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ନୀତିକୁ ସମାଲୋଚନା କରିଛନ୍ତି। ଏଥିସହ ବିଧାୟକ ପାଣ୍ଠି ଅର୍ଥକୁ କୋଭିଡ ପରିଚାଳନା ନିମନ୍ତେ ପ୍ରଦାନ କରାଯାଉଥିବାରୁ ନିଜ ବିଧାନସଭା ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସେ କହିଛନ୍ତି।

ଶ୍ରୀ ପାଣିଗ୍ରାହୀଙ୍କ ଅଭିଯୋଗ ଅନୁଯାୟୀ ଆଇସୋଲେସନ ସେଣ୍ଟର ଗୁଡିକରେ ସଠିକ ନମୁନା ସଂଗ୍ରହ କରାଯାଉ ନଥିବା ଫଳରେ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ସେହିପରି ଦେବଗଡ଼ ଜିଲ୍ଲାରେ ଭେଣ୍ଟିଲେଟର ସୁବିଧା ନଥିବା ଓ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତରଙ୍କ ନିଯୁକ୍ତିକୁ ନେଇ ସରକାରଙ୍କ ପକ୍ଷରୁ ଆନ୍ତରିକତା ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସୁଥିବା ପାଣ୍ଠି ସହାୟତାରେ ଜିଲ୍ଲାରେ ଏମଜି ଏନଆରଇଜିଏ ଯୋଜନାରେ ଗରିବଙ୍କୁ କର୍ମ ନିଯୁକ୍ତି ଯୋଗଇ ଦିଆଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ କଲ୍ୟାଣ ଯୋଜନାରେ ଗରିବ ପରିବାରକୁ ମାଗଣା ଚାଉଳ, ଡାଲି ଯୋଗାଇ ଦିଆଯାଉଥିବା ପ୍ରକାଶ କରିଥିଲେ।

ସେହିପରି ବର୍ତ୍ତମାନ ଜିଲ୍ଲାରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ କୋଭିଡ ଆଳରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଏହାକୁ ଅଣଦେଖା କରୁଛନ୍ତି। ଜିଲ୍ଲାରେ ଆଗାମୀ ଦିନରେ ଏହିଭଳି ପରିସ୍ଥିତି ଲାଗି ରହିଲେ କରୋନା କିମ୍ବା ମରୁଡି ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନଗର ସଭାପତି ଦିବ୍ୟ ଶଙ୍କର ଖୁଣ୍ଟିଆ, ମିଡିଆ ସେଲ ସଂଯୋଜକ ମୋତିଲାଲ ଶର୍ମା, ସରୋଜ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ।