ନିଜ ଦରମା ବୃଦ୍ଧି ନେଇ ପୁଣି ବିଧାୟକ ଏକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ନିଜର ମାସିକ ଦରମା ବୃଦ୍ଧି ପାଇଁ ଦଳମତ ନିର୍ବିଶେଷରେ ବିଧାୟକମାନେ ପୁଣି ଏକ ହୋଇଛନ୍ତି । ଏପରିକି ପୂର୍ବତନ ବିଧାୟକଙ୍କ ପେନସନ ବଢାଇବା ନିମନ୍ତେ ବି ସଭ୍ୟମାନେ ଦାବି କରିବା ସହ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଧାୟକଙ୍କ ଦାବି ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ରୁଲିଂ ଦେଇ ଏଥିସମ୍ପର୍କିତ ବିଲ୍ ଗୃହରେ ଆଗତ କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

ବୁଧବାର ବିଧାନସଭାରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ପ୍ରଥମେ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଥିଲେ, ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ କ୍ଷ ସେମାନେ ବହୁତ ଅସୁବିଧାରେ ଅଛନ୍ତି । ଚାଲିବା କଷ୍ଟ ହେଇଯାଉଛି ଓ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ନେଇ ସବୁ କମିଟି ରିପୋର୍ଟ ଦେଇଛନ୍ତି । ଏହା ଉପରେ ସରକାର କ’ଣ ନିଷ୍ପତ୍ତି ନେଲେ ଜଣାପଡୁନାହିଁ । ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ନେଇ କମିଟି ଦେଇଥିବା ରିପୋର୍ଟ ସଂସଦୀୟ ବ୍ୟାପର ବିଭାଗକୁ ପଠାଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହର ନେତାଙ୍କ ସହ ଆଲୋଚନା କରି ଗୃହକୁ ବିଲ୍ କେମିତି ଆସିବ ସେନେଇ ସମୟୋଚିତ ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ ।

ନରସିଂହ ମିଶ୍ରଙ୍କ ବକ୍ତିବ୍ୟକୁ ସମର୍ଥନ କରିଥିଲେ ଶାସକ ସଭ୍ୟ ଅମର ଶତପଥୀ । ସେ କହିଥିଲେ, ଦିଲ୍ଲୀର ବିଧାୟକଙ୍କ ଦରମା ବୃଦ୍ଧି ହୋଇଛି । ପୂର୍ବତନ ବିଧାୟକମାନେ ମଧ୍ୟ ଅସୁବିଧାରେ ଅଛନ୍ତି । ସେମାନଙ୍କର ମଧ୍ୟ ପେନ୍‌ସନ ବୃଦ୍ଧି ପାଇବା ଦରକାର । ମୁଁ ରିପୋର୍ଟ ଦେଇ ସାରିଛି । ଅନ୍ୟରାଜ୍ୟର ବିଧାୟକଙ୍କ ଦରମାକୁ ଅନୁସନ୍ଧାନ କରାଯାଇଛି । ତେଣୁ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନ୍‌ସନ ବଢ଼ାଯାଉ ବୋଲି ସେ ମତ ରଖିଥିଲେ ।

ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ବିଧାୟକଙ୍କ ଦରମା ବୃଦ୍ଧିକୁ ସମର୍ଥନ କରି କହିଥିଲେ, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ । ଏନେଇ ଗଠିତ କମିଟି ସବୁ ଦିଗକୁ ଗୁରୁତ୍ୱ ଦେଇ ରିପୋର୍ଟ ଉପସ୍ଥାପନା କରିଛି । ତେଣୁ ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ ବୋଲି ଦାବି କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦରମା ବୃଦ୍ଧି ବିଲ୍ ସଂସଦୀୟ ବ୍ୟାପାର ମନ୍ତ୍ରୀ ମନ୍ତ୍ରୀ ଗୃହରେ ଆଗତ କରନ୍ତୁ ବୋଲି ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ବିଜେଡି ସଭ୍ୟ ପଦ୍ମନାଭ ବେହେରା ପ୍ରମୁଖ ବିଧାୟକଙ୍କ ଦରମା ବୃଦ୍ଧି ଉପରେ ଦାବି କରିଥିଲେ ।

ଶେଷରେ ବିଧାୟକଙ୍କ ଦରମା ବଢ଼ିବା ବୃଦ୍ଧି ପ୍ରସଙ୍ଗ ସମ୍ପର୍କିତ ବିଲ ଗୃହରେ ଆଗତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବାଚସ୍ପତି ଶ୍ରୀ ଆରୁଖ ରୁଲିଂ ଦେଇଥିଲେ । ସେ କହିଥିଲେ, ଗୃହରେ ସବୁ ସଦସ୍ୟଙ୍କ ଉଦ୍‌ବେଗ ପ୍ରକାଶ ପାଉଛି । ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପାଇଁ କମିଟି ତାହାର ରିପୋର୍ଟଦେଇସାରିଛନ୍ତି । ମୁଁ ସେ ରିପୋର୍ଟ ସଂସଦୀୟ ବ୍ୟାପର ବିଭାଗକୁ ପଠାଇ ଦେଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଉପସ୍ଥିତ ଅଛନ୍ତି । ସେ ଗୃହର ନେତାଙ୍କ ସହ ଆଲୋଚନା କରନ୍ତୁ ଏବଂ ଗୃହକୁ ବିଲ୍ କେମିତି ଆସିବ ସେନେଇ ସମୟୋଚିତ ପଦକ୍ଷେପ ନିଅନ୍ତୁ ବୋଲି ବାଚସ୍ପତି ଶ୍ରୀ ଆରୁଖ ରୁଲିଂ ଦେଇଥିଲେ ।