ଟିକଟକକୁ ଟକ୍କର ଦେବା ପାଇଁ ଆସିଲା ‘ମିତ୍ରୋ’

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରବ୍ୟାପୀ ଲକଡାଉନ୍ ମଧ୍ୟରେ ପୂର୍ବାପେକ୍ଷା ଅଧିକ ଲୋକପ୍ରିୟ ହୋଇଛି ଚାଇନିଜ୍ ଆପ୍ ଟିକଟକ୍। ଜନସାଧାରଣ ଅଧିକ ସମୟ ଘରେ ରହୁଥିବାରୁ ଏହାର ଚାହିଦା ବେଶ୍ ବୃଦ୍ଧି ପାଇଛି। ମାତ୍ର ଏହାକୁ ଟକ୍କର ଦେବା ଲାଗି ମିତ୍ରୋ ଆପକୁ ବଜାରକୁ ଛଡ଼ାଯାଇଛି। ଏହା ହେଉଛି ଏକ ଭାରତୀୟ ଆପ୍, ଯାହା ଟିକଟକ୍ ଭଳି କାର୍ଯ୍ୟ କରୁଛି। ଏହି ଆପକୁ ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷ ଲୋକ ଡାଉନଲୋଡ୍ କରିସାରିଛନ୍ତି। ତେବେ ଦୀର୍ଘଦିନ ଧରି ବିବଦାରେ ରହିଥିବା ଟିକଟକକୁ ଟକ୍କର ଦେବା ପାଇଁ ଆସିଥିବା ଏହି ନୂତନ ଭାରତୀୟ ଆପଟି ଦ୍ରୁତ ରୂପେ ଲୋକପ୍ରିୟ ହୋଇଚାଲିଛି।

ନିକଟରେ ଟିକଟକର୍ସ ଏବଂ ୟ୍ୟୁଟୁବର୍ସଙ୍କ ମଧ୍ୟରେ ହୋଇଥିବା ବିବାଦ ପରେ ନିଜ ଦେଶର ଆପକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଗ୍ରାହକ ବର୍ତ୍ତମାନ ମିତ୍ରୋ ଆପ୍କୁ ଅଧିକାଂଶ ସ୍ୱିଚ୍ କରୁଥିବା ଜଣାପଡ଼ିଛି। ମାସେ ପୂର୍ବରୁ ଏହି ଆପ୍ ଲଞ୍ଚ୍ ହୋଇଥିବାବେଳେ ଉତ୍ତରାଖଣ୍ଡସ୍ଥିତ ଆଇଆଇଟି ରୁରକି’ର ଛାତ୍ର ଶିବାଙ୍କ ଅଗ୍ରୱାଲ୍ ଏହାକୁ ବିକଶିତ କରିଛନ୍ତି ବୋଲି କୁହାଯାଉଛି। ଗୁଗଲ୍ ପ୍ଲେ’ଷ୍ଟୋରରୁ ଏହାକୁ ଡାଉଲଲୋଡ୍ କରିହେବ। ରେଟିଂ ଦୃଷ୍ଟିରୁ ଟିକଟକ୍ ଆପ୍ ତୁଳନାରେ ମିତ୍ରୋ ଆପକୁ ଅଧିକ ରେଟିଂ ମିଳିଛି। ଟିକଟକକୁ ବର୍ତ୍ତମାନ ସୁଦ୍ଧା ୪.୪ ରେଟିଂ ମିଳିଥିବାବେଳେ ମିତ୍ରୋକୁ ୪.୭ ରେଟିଂ ମିଳିଛି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରତିଟି ଭାଷଣରେ ‘ମିତ୍ରୋ’ ଶବ୍ଦର ବ୍ୟବହାର କରନ୍ତି। ଏଥିରୁ ଅନୁପ୍ରେରିତ ହୋଇ ଏହି ଆପ୍ର ନାଁ ‘ମିତ୍ରୋ’ ରଖାଯାଇଛି। ବର୍ତ୍ତମାନ ଏହା କେବଳ ଆଣ୍ଡ୍ରଏଡ୍ ଗ୍ରାହକଙ୍କ ପାଇଁ ଜାରି କରାଯାଇଛି।