ନ୍ୟୁୟର୍କ: ଶୁକ୍ରବାର ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ଅଭିମୁଖେ ଯାଇଥିବା ବୋଇଂ ମହାକାଶଯାନଟି ସଠିକ୍ ସ୍ଥାନରେ ପହଞ୍ଚି ନପାରି ପୃଥିବୀ ଆଡ଼କୁ ଫେରୁଛି। ରବିବାର ସନ୍ଧ୍ୟାରେ ନ୍ୟୁ ମେକ୍ସିକୋସ୍ଥିତ ମରୁଭୂମି ଅଞ୍ଚଳରେ ଉକ୍ତ ମହାକାଶଯାନ ଅବତରଣ କରିବା ସମ୍ପର୍କରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ପୂର୍ବାନୁମାନ କରିଥିଲା। ବୋଇଂ କମ୍ପାନୀ ନିର୍ମିତ ମହାକାଶଯାନ ‘ଷ୍ଟାରଲାଇନର୍’ରେ କୌଣସି ମହାକାଶଚାରୀ ନଥିଲେ। ଶନିବାର ଅପରାହ୍ଣ ପର୍ଯ୍ୟନ୍ତ ଉଭୟ ନାସା ଓ ବୋଇଂ କର୍ତ୍ତୃପକ୍ଷ ମହାକାଶଯାନଟିର ସଫଳତା ପ୍ରତି ଗଭୀର ଆସ୍ଥା ରଖିଥିଲେ। କିନ୍ତୁ ଯଥା ସମୟରେ ମହାକାଶଯାନଟି ଲକ୍ଷ୍ୟସ୍ଥଳରେ ନ ପହଞ୍ଚବାରୁ ସେମାନଙ୍କ ମୁହଁରେ ନୈରାଶ୍ୟ ଖେଳି ଯାଇଥିଲା।
ଉଭୟ ନାସା ଓ ବୋଇଂ ମିଳିତ ଭାବେ ଷ୍ଟାରଲାଇନର୍ ନିର୍ମାଣ କରିଥିଲେ। ପ୍ରଥମ ମିଶନରେ ବିଫଳ ହେବାପରେ ବୋଇଂ ଉପାଧ୍ୟକ୍ଷ ଚିଲ୍ଟନ ଦ୍ୱିତୀୟ ମିଶନ ପ୍ରତି ମନ ବଳାଇଛନ୍ତି। ପୃଥିବୀକୁ ଫେରିବା ସମୟରେ ମହାକାଶଯାନଟିର ଗତି ଶବ୍ଦର ଗତିଠାରୁ ୨୫ ଗୁଣ ଅଧିକ ହେବ। ତା’ରି ଭିତରେ ଧାରାବାହିକ ଭାବେ ତିନୋଟି ପାରାଚ୍ୟୁଟ୍ ଖୋଲିଯିବା ଫଳରେ ମହାକାଶଯାନ ଗତି ଆପାତତଃ କମିଯିବ।
ନ୍ୟୁ ସାଉଥ୍ ୱେଲ୍ସର ବିସ୍ତୀର୍ଣ୍ଣ ବାଲୁକା ପ୍ରାନ୍ତରରେ ମହାକାଶଯାନଟି ସୁରକ୍ଷିତ ସହ ଅବତରଣ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ମହାକାଶଯାନରେ ଲାଗିଥିବା ତିନୋଟି ପାରାଚ୍ୟୁଟ୍ ମଧ୍ୟରୁ ଗୋଟିଏ ଠିକ୍ ଭାବେ କାମ କରିବା ପ୍ରତି ସନ୍ଦେହ ପ୍ରକଟ କରିଛନ୍ତି ନାସା ଉପ ନିର୍ଦ୍ଦେଶକ ଷ୍ଟିଭ ଷ୍ଟିଚ୍। ନାସା ଓ ବୋଇଂର ଏହି ମିଶନ ଉପରେ ପୃଥିବୀବାସୀଙ୍କୁ ମହାକାଶ ବୁଲାଇବା ପରିକଳ୍ପନାର ସଫଳତା ନିର୍ଭର କରୁଥିଲା।