ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: କ୍ୱାରେଣ୍ଟାଇନ୍ ସେଣ୍ଟରରେ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏମିତି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଧୀନରେ ଥିବା ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ। ପରେ ଅଭିଯୁକ୍ତକୁ ଦାରିଙ୍ଗବାଡି ପୁଲିସ ଥାନରେ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ପୁଲିସ ତରଫରୁ ତଦନ୍ତ ଆରମ୍ଭ ହୋଇଥିବା ଥାନା ପକ୍ଷରୁ ପ୍ରାରମ୍ଭିକ ସୂଚନା ମିଳିଛି।
ସୂଚନା ଅନୁସାରେ ରାତି ପ୍ରାୟ ୩ଟା ସମୟରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ୨ଜଣ ମହିଳା ବାହାରକୁ ବାହାରିଥିବା ବେଳେ ସେହି କେନ୍ଦ୍ରରେ ଥିବା ଜଣେ ଯୁବକ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି କ୍ଵାରେଣ୍ଟାଇନ୍ ସେଣ୍ଟରକୁ ଗତ ୧୩ ତାରିଖରେ ତାମିଲନାଡୁ, ବେଙ୍ଗାଲୁରୁ, ମହାରାଷ୍ଟ୍ର ଆଦି ସ୍ଥାନରୁ ଆସିଥିବା ଯୁବକ ଯୁବତୀଙ୍କୁ ରଖାଯାଇଛି। ଆଉ କିଛି ଦିନ ପରେ ଏହି ଯୁବକ ଯୁବତୀଙ୍କ କ୍ଵାରେଣ୍ଟାଇନ୍ ସେଣ୍ଟରରେ ରହିବାର ଅବଧି ସାରି ଘରକୁ ଫେରିବାର ଥିଲା। ଯୁବକ ୧୯ ଜଣ, ଯୁବତୀ ୯ ଜଣ, ଏବଂ ଏକ ୫ ବର୍ଷର ଶିଶୁକୁ ମିଶାଇ ୨୯ ଜଣ ଏହି କ୍ଵାରେଣ୍ଟାଇନ୍ସ ସେଣ୍ଟରରେ ରହୁଥିଲେ ବୋଲି ସୂଚନା ମିଳିଛି।
ଘଟଣାରେ ଥାନାରେ ଅଟକ ଥିବା ସମ୍ପୃକ୍ତ ଯୁବକଙ୍କ ଘର ଦାରିଙ୍ଗବାଡ଼ି ବ୍ଲକ୍ ହାତିମୁଣ୍ଡା ଅଞ୍ଚଳର ହୋଇଥିବା ବେଳେ ଯୁବତୀଙ୍କ ଘର ରାଇକିଆ ଥାନା ଅଞ୍ଚଳ ବୋଲି ଜଣାପଡିଛି। ତେବେ ଏନେଇ ଥାନା ଅଧିକାରୀ କୌଶିକ ମାଝୀଙ୍କ ସହିତ ଯୋଗାଯୋଗ କରିବାରୁ ଜଣେ ଯୁବକ ଜୈନେକ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ କରିଥିବା ଅଭିଯୋଗ ମିଳିଛି। ଘଟଣାର ତଦନ୍ତ ଜାରି ରହିଛି ତଦନ୍ତ ପରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି।