ଆଦିବାସୀ ନାବାଳିକାଙ୍କୁ ୮ମାସ ଧରି ଗଣଦୁଷ୍କର୍ମ ଅଭିଯୋଗ

ରାମନାଗୁଡା,ଏନ୍ଏନ୍ଏସ୍ : ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ୮ଜଣ ଯୁବକ ଦୀର୍ଘ ୮ମାସ ଧରି ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ହୋଇଛି। ପୀଡିତା ୬ମାସର ଗର୍ଭବତୀ ଥିବା ଜଣାପଡିବାପରେ ପୁଲିସ ଗୁଣୁପୁର ମେଡ଼ିକାଲରେ  ଡାକ୍ତରୀ ମାଇନା କରିଛି। ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ଉଠାଇଆଣି ପୁଲିସ ପଚରାଉଚରା ଜାରି ରଖିଛି। ସୂଚନା ଥାଉକି, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୁଲୁମୁଣ୍ଡା ପଞ୍ଚାୟତର ଜଣେ ଆଦିବାସୀ ନାବାଳିକା ୮ମାସ ତଳେ ନାଳକୁ ଗାଧୋଇବାକୁ ଯାଇଥିବାବେଳେ ସେହି ଗ୍ରାମର ୫ଯୁବକ ଏବଂ ପଡୋଶୀ ଗ୍ରାମର ଜଣେ ଯୁବକ ପାଖ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ। ଘଟଣାର ସମ୍ପର୍କରେ କାହାକୁ କିଛି ନକହିବାକୁ ଧମକ ଦେଇଥିଲେ। ଭୟରେ ପୀଡ଼ିତା  କାହାକୁ କିଛି କହିନଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ନାବାଳିକାଙ୍କୁ ଭୟ ଦେଖାଇ ବିଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଆସୁଥିଲେ। କିଛିଦିନ ତଳେ ନାବାଳିକାଙ୍କ ଦେହ ଖରାପ ହେବାରୁ ତାଙ୍କ ମାଆଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ସେ ଗ୍ରାମର ଆଶାକର୍ମୀଙ୍କ ସହାୟତାରେ ଗୁଣୁପୁର ମେଡ଼ିକାଲକୁ ଯାଇ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ୬ମାସର ଗର୍ଭବତୀ ଥିବା ଜଣାପଡିଥିଲା।  ଏନେଇ ଅଙ୍ଗନବାଡି କର୍ମୀ ରାମନାଗୁଡା ସିଡିପିଓ ଶାନ୍ତିଲତା ରଥଙ୍କୁ ଅବଗତ କରିଥିଲେ। ଖବରପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସିଡ଼ିପିଓ ଶାନ୍ତିଲତା ରଥ, ସରପଞ୍ଚ ଲଳିତା ଶବର ପ୍ରମୁଖ ଗ୍ରାମରେ ପହଞ୍ଚି ପୀଡ଼ିତାଙ୍କ ସହ ଆଲୋଚନା କରିଥିଲେ। ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ସ୍ପଷ୍ଟ ହେବାପରେ ଶିଶୁ ସୁରକ୍ଷା ଅଧିକାରୀ ଥାନାରେ ଏତଲା ଦେବାକୁ ପୀଡ଼ିତାଙ୍କ ବାପାଙ୍କୁ କହିଥିଲେ। ଏନେଇ ତାଙ୍କ ବାପା ଗୁଣୁପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ଏତଲାକୁ ଭିତ୍ତିକରି ୬ଜଣ ଯୁବକ ଆଣି ପଚରାଉଚରା ଜାରି ରଖିଛି। ଗୁଣୁପୁର ଥାନାରେ ଏନେଇ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।