ବାପାଙ୍କୁ ରେଲୱେ ଷ୍ଟେସନକୁ ଛାଡ଼ିବାକୁ ଯାଇ ନାବାଳକ ପୁଅ ନିଖୋଜ

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ଚଳିତ ମାସ ୧୨ ତାରିଖରେ ଦାଦନ ଖଟିବାକୁ ଯାଉଥିବା ବାପାଙ୍କୁ ରେଲୱେ ଷ୍ଟେସନରେ ଛାଡ଼ିବା ପରେ ନାବାଳକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ସର୍ଦ୍ଦାରଠାରୁ ଅଗ୍ରୀମ ନେଇ ସତ୍ୟବାନ ବାଗ ଦାଦନ ଖଟିବା ପାଇଁ ବିଶାଖାପାଟଣା ଯାଉଥିଲେ । ସର୍ଦ୍ଦାର ସତ୍ୟବାନକୁ କଣ୍ଟ।।ବାଞ୍ଜି ରେଳ ଷ୍ଟେସନ ଆସିବାକୁ କହିଥିଲା । ସର୍ଦ୍ଦାରଙ୍କ କଥା ଅନୁଯାୟୀ ଟିଟିଲାଗଡ଼ ଥାନା ଅନ୍ତର୍ଗତ କୁମ୍ଭେପଡ଼ାର ଅନ୍ୟ ଦାଦନ ଶ୍ରମିକଙ୍କ ସହ ୪ଟି ବାଇକ ଯୋଗେ ସମସ୍ତେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ପହଞ୍ଚିଥିଲେ । ରାତି ୧୦ଟାରେ ଟ୍ରେନ ଛାଡ଼ିବା ପରେ ସଭିଏଁ ଘରକୁ ଫେରିଥିଲେ । ହେଲେ ବାପା ସତ୍ୟବାନଙ୍କୁ ଷ୍ଟେସନକୁ ଛାଡ଼ିବାକୁ ଯାଇଥିବା ନାବାଳକ ପୁଅ ଆଉ ଘରକୁ ଫେରିନଥିଲା । ସତ୍ୟବାନ ବିଶାଖାପାଟଣା ଇଟା ଭାଟିରୁ ବହୁ କଷ୍ଟରେ ଘରକୁ ଫେରି ପୁଅର ସନ୍ଧାନରେ ଲାଗିଛନ୍ତି । ଏନେଇ ପରିବାର ଲୋକେ ଟିଟିଲାଗଡ଼ ଥାନାରେ ଗତ ୧୭ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୁଲିସ ଦୀର୍ଘ ୧୦ ଦିନ ହେଲା ପିଲାଟିର କୌଣସି ସୁରାକ ପାଉନି । ଆଜି ଗ୍ରାମବାସୀ ଟିଟିଲାଗଡ଼ ଥାନା ପହଞ୍ଚି ପୁଲିସ ଅଧିକାରୀଙ୍କୁ ସାକ୍ଷାତ କରି ନିଜ କ୍ରୋଧ ପ୍ରକାଶ କରିଥିଲେ । ଜଣେ ବ୍ୟକ୍ତି ମୁଁ ତୋ ପୁଅକୁ ମାରିଛି, ତୋତେ ମଧ୍ୟ ଧୁଲାଇବି କହିଥିବା ମା’ ଥାନା ସବଇନ୍ସପେକ୍ଟର ନରେନ୍ଦ୍ର ଛତ୍ରଙ୍କୁ କହିଥିଲେ । ତେବେ ପୁଲିସ ଅଧିକାରୀ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲିି କହୁଥିବାବେଳେ ନାବାଳକ ଏବେ କେଉଁଠି ସେନେଇ ଚର୍ଚ୍ଚା ଜୋର ଧରିଛି ।