୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ମୋହନା,ଏନ୍ଏନ୍ଏସ୍: ଗଜପତି ଜିଲ୍ଲା ମୋହନା ବାଳିକା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଆଦିବାସୀ ହଷ୍ଟେଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣାପଡିଛି। ସେ ୬ମାସର ଗର୍ଭବତୀ ଥିବା ଜଣାପଡିବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀ, ମୋହନା ବିଡିଓ ବଂଶୀଧର ଖୋସଲା ହଷ୍ଟେଲରେ ପହଞ୍ଚି ତଦନ୍ତ କରୁଛନ୍ତି।

୧୦୦ ଆସନ ବିଶିଷ୍ଟ ଏହି ଆଦିବାସୀ ଛାତ୍ରୀନିବାସରେ ଛାତ୍ରୀମାନେ ରହି ପାଠପଢିଥାନ୍ତି। ବୁଧବାର ମେଟ୍ରୋନ୍ ହଷ୍ଟେଲର କିଛି ଛାତ୍ରୀଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଣେ ଛାତ୍ରୀ ୬ମାସର ଗର୍ଭବତୀ ଥିବା ଡାକ୍ତର ନମିତା ପଣ୍ଡା ସୂଚନା ଦେଇଥିଲେ।

ଏ ସମ୍ପର୍କରେ ହଷ୍ଟେଲ କର୍ତ୍ତୃପକ୍ଷ ଜାଣିବା ପରେ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ଜଣାଇଥିଲେ। ପ୍ରଥମେ ମୋହନା ବିଡିଓ ବଂଶୀଧର ଖୋସଲା ଓ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରଞ୍ଜନ ଜେନା ହଷ୍ଟେଲରେ ପହଞ୍ଚି ତଦନ୍ତ କରିଥିଲେ। ପରେ ହଷ୍ଟେଲରେ ଜିଲ୍ଲା ମଙ୍ଗଳ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ, ମୋହନା ଚାଇଲ୍ଡ ଲାଇନ କର୍ମଚାରୀ ଓ ପୁଲିସ ପହଞ୍ଚି ଥିଲେ। ଛାତ୍ରୀ ଜଣକ ୬ ମାସର ଗର୍ଭବତୀ କିପରି ହେଲେ ଏବଂ ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ ରଥ କହିଛନ୍ତି।

ହଷ୍ଟେଲରେ ଥିବା ସତ୍ତେ୍ୱ ଘଟଣା ସମ୍ପର୍କରେ ସ୍କୁଲ ଅଥରିଟି କିଭଳି ଜାଣିପାରିଲେ ନାହିଁ, ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଗଜପତି ଜିଲ୍ଲାପାଳ ଅନୁପନ ସାହା କହିଛନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।