ମନ୍ତ୍ରୀଙ୍କ ସ୍ୱାଭିମାନ ଅଞ୍ଚଳର ବିଦ୍ୟାଳୟ ପରିଦର୍ଶନ, ଛାତ୍ରଛାତ୍ରୀଙ୍କ ସହ କଲେ ଭୋଜନ

ମାଲକାନଗିରି,ଏନ୍ଏନଏସ୍: ଅନୂସୂଚିତ ଜାତି ,ଜନଜାତି. ସଂଖ୍ୟା ଲଘୁ ଓ ପଛୁଆ ବର୍ଗର କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ ଗସ୍ତ ବିଭିନ୍ନ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏ ଅବସରରରେ ସେ ପ୍ରଥମେ ବଡ଼ପଡ଼ା ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ କରି ଶିକ୍ଷାର ଅଗ୍ରଗତି ସମ୍ପର୍କରେ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ଅଭିଭାବକମାନେ ଜାତିଗତ ପ୍ରମାଣ ପତ୍ର ଠିକ ସମୟରେ ମିଳୁନଥିବାରୁ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣରୁ ବଂଚିତ ହେଉଥିବା ଅଭିଯୋଗ କରିଥିଲେ । ଏଥିସହ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ଅଭିଯୋଗ କରିବା ପରେ ମନ୍ତ୍ରୀ ଶ୍ରୀ ସାରକା ଆସନ୍ତା ୭ ଦିନ ମଧ୍ୟରେ ବିଦ୍ୟାଳୟକୁ ୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୃତି ଦେଇଥିଲେ।

ସରକାରଙ୍କ ତରଫରୁ ଛାତ୍ରାବାସ ପ୍ରତିଷ୍ଠା କରି ମାଗଣାରେ ଖାଇବା ଦିଆଯିବା ସହ ଷ୍ଟାଇପେଣ୍ଡ ଦିଆଯାଉଛି। ତେଣୁ ପିଲାଙ୍କୁ ପାଠ ପଢ଼ାଇବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ମୂଖ୍ୟମନ୍ତ୍ରୀ ସ୍ୱାଭିମାନ ଅଂଚଳର ବିକାଶ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ତେଣୁ ସମସ୍ତଙ୍କର ସହଯୋଗ ରହିଲେ ସ୍ୱାଭିମାନ ଅଂଚଳର ବିକାଶ ହୋଇପାରିବ ବୋଲି କହିଥିଲେ। ପରେ ସଂପୃକ୍ତ ବିଦ୍ୟାଳୟର ଛାତ୍ରୀଙ୍କୁ ଗଣିତ ଓ ଇଂରାଜୀ ପଢ଼ାଇଥିଲେ। ସେଠାରେ ଛାତ୍ରୀଙ୍କୁ ସଂପୃକ୍ତ ବିଦ୍ୟାଳୟ କେଉଁ ବିଭାଗ ଅଧିନରେ ପରିଚାଳିତ ହେଉଛି ବୋଲି ପ୍ରଶ୍ନ ପଚାରିବାରୁ ଛାତ୍ରୀମାନେ ଉତର ଦେଇଥିଲେ। ସେଠାରୁ ସେ ଗୁରୁପ୍ରିୟା ସେତୁ ଭ୍ରମଣ କରି ଚିତ୍ରକୋଣ୍ଡା ଫେରିଥିଲେ।

ସେଠାରେ ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି ଖାଦ୍ୟର ମାନ ପରୀକ୍ଷା କରିଥିଲେ। ତେବେ ସେଠାକାର ଛାତ୍ରଛାତ୍ରୀମାନଙ୍କୁ ଆଜି କେବଳ ଭାତ ଓ ଡାଲି ଦିଆଯାଇଥିବା ବେଳେ ଗଜା କିମ୍ବାତରକାରୀ ଦିଆଯାଇନଥିବା ଅଭିଯୋଗ କରିଥିଲେ। ଏହା ଶୁଣି ମନ୍ତ୍ରୀ ଶ୍ରୀ ସାରକା ଅସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ପିଲାଙ୍କ ଖାଦ୍ୟ ପ୍ରଦାନରେ କୌଣସି ବ୍ୟତିକ୍ରମ ଘଟିଲେ ଦୃଢ଼ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ତାଗିଦ କରିଥିଲେ।

ସେଠାରେ ମଧ୍ୟ ଆବଶ୍ୟକୀୟ ସଂଖ୍ୟକ ଶିକ୍ଷକ ନ ଥିବା ଅଭିଯୋଗ କରାଯାଇଥିଲା। ଏହି ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୃତି ଦେଇଥିଲେ। ପରେ ମନ୍ତ୍ରୀ ଶ୍ରୀ ସାରକା ଛାତ୍ରଛାତ୍ରୀଙ୍କ ସହ ଭୋଜନ କରିଥିଲେ। ଜାତିଗତ ପ୍ରମାଣ ପତ୍ର ଦେବାରେ କୌଣସି ଅସୁବିଧା ନାହିଁ। ତଥାପି ମୁଁ ଆଲୋଚନା କରି ସମାଧାନ କରିବାକୁ ଚେଷ୍ଟା କରିବି ବୋଳି କହି ଆବାସିକ ବିଦ୍ୟାଳୟରେ ଅବବ୍ୟବସ୍ଥା ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ମନ୍ତ୍ରୀ ସାରକା ବର୍ତମାନ ସୁଦ୍ଧା କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ଆସିଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।