ଜଗାର ହେବ ଖପୁରୀ ପ୍ରତିରୋପଣ, ଏବେ ସ୍କୁଲ ଯାଇପାରିବ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିଲ୍ଲୀ ଏମସ୍ ରୁ ଫେରିବା ପରେ କଟକ ଏସସିବିରେ ଚିକିତ୍ସାଧୀନ ଥିବା ଜଗାର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ତେବେ ଜଗା ବର୍ତମାନ ସ୍କୁଲ ଯାଇପାରିବ ନାହିଁ । ପ୍ରଥମେ ଜଗା ମୁଣ୍ଡରେ ଖପୁରୀ ପ୍ରତିରୋପଣ ହେବ ବୋଲି ରବିବାର ଏସସିବିରେ ଜଗା କାଳିଆଙ୍କୁ ଭେଟିବା ପରେ କହିଛନ୍ତି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ।

ରବିବାର ମନ୍ତ୍ରୀ ଶ୍ରୀ ଜେନା କଟକ ଏସସିବି ଯାଇ ଜଗା କାଳିଆର ସ୍ୱାସ୍ଥ୍ୟବସ୍ଥା ଓ ଚିକିତ୍ସା ସମ୍ପର୍କରେ ବୁଝିଥିଲେ। ଜଗା ସୁସ୍ଥ ହେଉଥିବାରୁ ତାକୁ ସ୍କୁଲ ପଠାଯିବ କି ପ୍ରଶ୍ନର ଉତରରେ ମନ୍ତ୍ରୀ କହିଥିଲେ ଯେ ଜଗାର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ବେଳେ କାଳିଆର ସ୍ୱାସ୍ଥ୍ୟ ସାମାନ୍ୟ ହୋଇନାହିଁ । ଉଭୟଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଟିମ୍ ଲାଗିଛନ୍ତି । ଜଗାର ଖପୁରୀ ନଥିବାରୁ ସେ ବର୍ତମାନ ସ୍କୁଲ ଯାଇପାରିବ ନାହିଁ । ତେବେ ହସ୍ପିଟାଲରେ ହିଁ ଜଗାର ପ୍ରାଥମିକ ଶିକ୍ଷା ପାଇଁ ବ୍ୟବସ୍ଥା କରାଯିବ । ଜଗାର ଖପୁରୀ ପ୍ରତିରୋପଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ୨୦୧୭ରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳ ମିଲିପଡା ଗାଁର ଯୋଡାମୁଣ୍ଡ ଶିଶୁ ଜଗା- କାଳିଆଙ୍କୁ ଅଲଗା କରିବାପାଇଁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା । ଅଭିଜ୍ଞ ଡାକ୍ତରୀ ଟିମଙ୍କ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା । ସେଠାରେ ପ୍ରାୟ ଦୁଇ ବର୍ଷ ରହିବ ପରେ ଉଭୟ ଓଡିଶା ଫେରିଆସିଛନ୍ତି । କଟକସ୍ଥିତ ଏସସିବିରେ ଦୁଇଭାଇଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ସ୍ୱତନ୍ତ୍ର ଆଇସିୟୁ ସଂଲଗ୍ନ କ୍ୟାବିନରେ ରଖାଯାଇଛି ।