ଗାଇସିଲେଟରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ମନ୍ତ୍ରୀ ରିତା ସାହୁ

ବରଗଡ଼,ଏନ୍‌ଏନ୍‌ଏସ୍‌: ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ବରଗଡ଼ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତିରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏଥିରେ ଓଡ଼ିଶା ସରକାରଙ୍କ ନୂତନ ପଞ୍ଚାୟତ ସମିତି ଗୃହ, ମିଶନ ଶକ୍ତି କାଫେ, ମିଶନ ଶକ୍ତି ଗୃହ, ନୂତନ ଗ୍ରାମପଞ୍ଚାୟତ ଅଫିସ ଓ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ ସାମିଲ ରହିଛି । ମିଶନ ଶକ୍ତି କାଫେ ଉଦଘାଟନ ପରେ ମା’ମାନେ ତିଆରି କରିଥିବା ଖାଦ୍ୟ ଖାଇ ମନ୍ତ୍ରୀ ସେମାନଙ୍କୁ ଟଙ୍କା ମଧ୍ୟ ଦେଇଥିଲେ । ଏହି ଅବସରରେ ପଞ୍ଚାୟତ ସମିତି ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ରିତା ସାହୁ ଗାଇସିଲେଟ ଅଞ୍ଚଳର ଆହୁରି ଉନ୍ନତି ଲାଗି ପ୍ରତିଶ୍ରୁତି ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଜି ମା’ମାନେ ସବୁ କ୍ଷେତ୍ରରେ ଆଗକୁ ଆସି ପାରୁଛନ୍ତି ବୋଲି ପ୍ରକାଶ କରିଥିଲେ । ତେବେ ଦିନକରେ ଏକାଧିକ ପ୍ରକଳ୍ପର ଉଦଘାଟନ ହୋଇଥିବାରୁ ବ୍ଲକ୍ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ବିଡ଼ିଓ ମନୋଜ କୁମାର ଦେବତା ଓ ଗାଇସିଲେଟ ସରପଞ୍ଚ ଶରତ କାଲୋ ଓ ସମସ୍ତ ବ୍ଲକ୍ କର୍ମଚାରୀଙ୍କୁ ମନ୍ତ୍ରୀ ଖୁବ୍ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ । ଏସବୁ ପ୍ରକଳ୍ପ ପାଇଁ ଗାଇସିଲେଟର ଚିତ୍ର ବଦଳି ଯାଇଥିବାରୁ ଅଞ୍ଚଳବାସୀ ବେଶ୍ ଖୁସି ଅନୁଭବ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଉପଦେଷ୍ଟା ନାରାୟଣ ସାହୁ, ଚାଷୀନେତା କିଶୋର ଦେବତା, ଜିଲ୍ଲାପରିଷଦ ସଭ୍ୟ ନୀଳମଣି ବରିହା, ୧୯ଟି ଗ୍ରାମପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ବୁଦ୍ଧିଜୀବୀ ଓ ମିଶନ ଶକ୍ତି ମା’ମାନେ ଯୋଗ ଦେଇଥିଲେ ।