ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ବୈପାରିଗୁଡ଼ା ଗସ୍ତ

ବୈପାରିଗୁଡ଼ା,ଏନ୍ଏନ୍ଏସ୍: ରାଜ୍ୟ ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍ ବୈପାରିଗୁଡ଼ା ବ୍ଲକ୍ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ମନ୍ତ୍ରୀ ଦିଆନ୍ ଏହି ସମୟରେ କେନ୍ଦୁଗୁଡ଼ା ପଞ୍ଚାୟତର ଭାଲୁଗୁଡ଼ା ଗ୍ରାମକୁ ଯାଇ ସେଠାକାର ବୁଣାକାର ପରିବାର ସହ ଆଲୋଚନା କରିଥିଲେ। ବୁଣାକାରଙ୍କୁ ଅତ୍ୟାଧୁନିକ ତାଲିମ୍ ଦିଆଯାଇ ଉଚ୍ଚମାନର ସାମଗ୍ରୀ ଉତ୍ପାଦନ କରାଯାଇ ପାରିବ ଓ ସେଥିଲେ ବୁଣାକାର ଅଧିକ ରୋଜଗାର କରିପାରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଗସ୍ତ କାଳରେ ମନ୍ତ୍ରୀ ୨୦୧ ଜଣ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଥିଲେ। କେନ୍ଦୁଗୁଡ଼ା ପରେ ମନ୍ତ୍ରୀ ହଳଦୀକୁଣ୍ଡ, ରାମଗିରି, ଦଣ୍ଡାବାଡ଼ି ଓ ବାଲିଗାଁ ଗସ୍ତ କରିଥିଲେ। ମନ୍ତ୍ରୀଙ୍କ ଗସ୍ତବେଳେ ବ୍ଲକ୍ ଅଧ୍ୟକ୍ଷା ସରୋଜିନୀ କାଣ୍ଡକି, ବିଡିଓ ଅଭିମନ୍ୟୁ କବି ଶତପଥୀ, ବିଏସଏସଓ କାର୍ତ୍ତିକ ପାଢ଼ୀ, ଉପାଧ୍ୟକ୍ଷ ତ୍ରିଲୋଚନ ଜେନା, ବିଜେଡି ସଭାପତି ବିଜୟ ସାମନ୍ତରାୟ ଓ ସାଥୀରାମ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।