ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକରେ ଯୋଗଦେଲେ ପରିବହନ ମନ୍ତ୍ରୀ

ସୁବର୍ଣ୍ଣପୁର, ଏନ୍‌ଏନ୍‌ଏସ୍‌: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୀରମହାରାଜପୁର, ଉଲୁଣ୍ଡା, ବିନିକକ୍ଷ( ଆଂଶିକ) ସହ ବିନିକା ଏନଏସି ଅଞ୍ଚଳରେ ବିଭିନ୍ନ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ଜନମଙ୍ଗଳ ଏବଂ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । କମିଟିର ଆବାହକ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସମସ୍ତଙ୍କୁ ସ୍ୱାଗତ କରି ବୈଠକର ଆଭିମୁଖ୍ୟ ସମ୍ବନ୍ଧରେ ଅବଗତ କରାଇଥିଲେ । ଏହି ସମୟରେ ମନ୍ତ୍ରୀ ଶ୍ରୀ ବେହେରା ବିଭିନ୍ନ ବିଭାଗରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅନୁଦାନ ରାଶିର ଉପଯୋଗ କରି ପ୍ରକଳ୍ପଗୁଡ଼ିକ ଶୀଘ୍ର ସମାପ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୋନପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ଉପଜିଲ୍ଲାପାଳ ନିହାର ରଞ୍ଜନ କଁହର, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ଯୁଗ୍ମ ନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟନ ସୁକାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।