ପ୍ଲାଜମା ସଂଗ୍ରହ ଉପରେ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଗୁରୁତ୍ୱ

ବାରିପଦା,ଏନ୍ଏନ୍ଏସ୍: ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର କୋଭିଡ଼ ପରିଚାଳନା ଦାୟିତ୍ୱରେ ଥିବା ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି ଉତ୍ତର ଓଡ଼ିଶା ଗସ୍ତରେ ଆସି ବାରିପଦାରେ ପହଞ୍ଚିଥିଲେ। ଏହାପରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଅତିରିକ୍ତ ଜିଲ୍ଲାପାଳ, ପିଡ଼ି ଡ଼ିଆରଡ଼ିଏ, ବାରିପଦା ଉପଜିଲ୍ଲାପାଳ, ବାରିପଦା ପିଏ ଆଇଟିଡ଼ିଏ, ବାରିପଦା ପିଆରଏମ ମେଡ଼ିକାଲ କଲେଜର ସୁପାରିଟେଣ୍ଡାଣ୍ଟ ଏବଂ ସିଡ଼ିଏମଓ ପ୍ରମୁଖଙ୍କ ସହ ଜିଲ୍ଲାରେ କୋଭିଡ଼-୧୯ ପରିଚାଳନା ଓ ସ୍ଥିତାବସ୍ଥା ସମ୍ପର୍କରେ ଆଲୋଚନା କରିବାସହ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କଠାରୁ ପ୍ଲଜମା ସଂଗ୍ରହ ଉପରେ ଆଲୋଚନା କରିଥିଲେ। ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ୪୬୫ରୁ ଅଧିକ ବ୍ୟକ୍ତି ରୋଗମୁକ୍ତ ହୋଇ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୩ ଶହରୁ ଅଧିକ ବ୍ୟକ୍ତିଙ୍କ ପ୍ଲାଜମା କରୋନା ସଂକ୍ରମିତଙ୍କ ଚିକିତ୍ସା ଉପଯୋଗୀ ହୋଇପାରିବ। ଏଥିସହିତ ଜିଲ୍ଲାରେ ପ୍ରାୟ ୧୫୦ରୁ ଅଧିକ ଆରୋଗ୍ୟ ବ୍ୟକ୍ତି ସ୍ୱଇଚ୍ଛାରେ ନିଜର ପ୍ଲାଜମା ଦାନ କରିବା ନିମନ୍ତେ ସହମତି ପ୍ରକାଶ କରିଥିବା ମନ୍ତ୍ରୀ ଶ୍ରୀଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ଦେବାଶିଷ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।