ଚାଷ କଲେ କୃଷୀ ମନ୍ତ୍ରୀ, ଅକ୍ଷୟ ତୃତୀୟାରେ ଅଖିମୁଠୀ ଅନୁକୂଳ କଲେ

ନୟାଗଡ଼,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ଦଳୀୟ କାର୍ଯ୍ୟାଳୟ ନିକଟସ୍ଥ ଜଣେ କୃଷକଙ୍କ ଜମିରେ ଅଖିମୁଠି ଅନୁକୂଳ କରିଛନ୍ତି।

 

ପୂଜାପାଠ ପରେ ମନ୍ତ୍ରୀ ବିହନ ବୁଣିବା ସହ ହଳ ଲଙ୍ଗଳ ଧରି ଚାଷ କାର୍ଯ୍ୟ କରିଛନ୍ତି। ସୂଚନା ଅନୁସାରେ, ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ଏହିଦିନ କୃଷକମାନେ ସେମାନଙ୍କ ଜମିରେ ଅଖିମୂଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି। କରୋନା ମହାମାରୀ କାରଣରୁ ଏହାକୁ ସରକାରୀ ଭାବେ ପାଳନ ନକରି ଆଜି କୃଷି ମନ୍ତ୍ରୀ ବ୍ୟକ୍ତିଗତ ଭାବେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି।

ଅକ୍ଷୟ ତୃତୀୟା ହେଉଛି ଏକ କୃଷି ଭିତ୍ତ୍ଖଳ ପର୍ବ। ଚାଷୀପାଇଁ ଏହା ହେଉଛି ଏକ ଶୁଭ ଦିନ। ଏହି ଦିନରେ ଓଡ଼ିଶାର ପୂରପଲ୍ଲୀର ଚାଷୀମାନେ ଚାଷ କାର୍ୟ୍ୟ ଆରମ୍ଭ କରିଥାନ୍ତି। ଅକ୍ଷୟ ତୃତୀୟା ଏପରି ଏକ ଦିବସ ଯେଉଁ ଦିବସରେ ବିନା ପାଞ୍ଜିରେ କାମ ଆରମ୍ଭ ହୁଏ। ଏବଂ ଏହି ଦିନ କାର୍ଯ୍ୟ ଆରମ୍ଭ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି କୃଷି ମନ୍ତ୍ରୀ କହିଛନ୍ତି। ସେହିପରି ଚଳିତ ବର୍ଷର ପାଣିପାଗ ଚାଷ ଅନୁକୂଳ ପାଇଁ ଭଲ ରହିଛି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କରାଯାଇଥିବା ଲକଡାଉନକୁ କୃଷି କାର୍ୟ୍ୟ ନିମନ୍ତେ କୋହଳ କରିଛନ୍ତି। କୃଷକମାନେ ବିନା ଦ୍ୱିଧାରେ ସାମାଜିକ ଦୂରତା ରକ୍ଷା କରି କୃଷି କାର୍ଯ୍ୟରେ ନିୟୋଜିତ ରହିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।