ଇସ୍ପାତ୍ ଉତ୍ପାଦନ ପାଇଁ ପୂର୍ବ ଭାରତ ଆମର ପ୍ରାଥମିକତା- ଧର୍ମେନ୍ଦ୍ର ପ୍ରଧାନ

ଭାଇଜାଗ ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ବିଶାଖାପାଟଣା,ଏନ୍ଏନ୍ଏସ୍: ପୂର୍ବ ଭାରତରେ ଅଧିକ ଇସ୍ପାତ୍ ଉତ୍ପାଦନ ହେଉଥିବା କାରଣରୁ ପୂର୍ବ ଭାରତକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। କାରଣ ଭାରତର ବିଭିନ୍ନ ଅଂଚଳରୁ ଉତ୍ପାଦିତ ହେଉଥିବା ଇସ୍ପାତର ପରିମାଣ ତୁଳନାରେ ଅଧିକ ଭାଗ ପୂର୍ବ ଭାରତର ରହିଥାଏ। ଆନ୍ଧ୍ରପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଷ୍ଟ୍ରୀୟ ଇସ୍ପାତ୍ ନିଗମ(ଆରଆଇଏନଏଲ) ର ଭାଇଜାଗ ଇସ୍ପାତ କାରଖାନା ପରିଦର୍ଶନ କରିବା ପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କୁ ସମ୍ବନ୍ଧିତ କରିବା ଅବସରରେ ଏହା କହିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ଭାଇଜାଗ ଇସ୍ପାତ୍ କାରଖାନାର ପରିଚାଳନା କାର୍ଯ୍ୟକୁ ଦେଖିବା ସହ ଇସ୍ପାତ୍ ତିଆରି କାମ ସମ୍ବନ୍ଧରେ ପଚାରି ବୁଝିଥିଲେ। ଇସ୍ପାତ୍ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ପ୍ରଧାନଙ୍କ ଏହା ପ୍ରଥମ ଭାଇଜାଗ ଗସ୍ତ ଥିଲା। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କ୍ଷେତ୍ର ସମେତ ଆନ୍ଧ୍ରପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଛତିଶଗଡକୁ ଆର୍ଥିକ କ୍ଷେତ୍ର ବନାଇବା ଦିଗରେ କାମ କରୁଅଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣରେ ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି ଲକ୍ଷ୍ୟ ହାସଲ କରିବାରେ ପୂର୍ବ ଭାରତର ଅଧିକ ଯୋଗଦାନ ରହିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆ ଭାରତ ନିର୍ମାଣରେ ଆନ୍ଧ୍ରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରାଳୟ ଆନ୍ଧ୍ରରେ ୨ ଲକ୍ଷ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ତିଆରି କରିବାର ଯୋଜନା ରଖିଛନ୍ତି। ଯେଉଁ ସବୁ ପ୍ରକଳ୍ପ ଆଂଚଳିକ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ତ୍ୱରାନ୍ୱିତ କରାଇବ ବୋଲି ସେ କହିଛନ୍ତି।

ସେହିପରି ଶ୍ରୀ ପ୍ରଧାନ ଏକ କାର୍ଯ୍ୟକ୍ରମରେ ଆରଆଇଏନଲର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବରିଷ୍ଠ ଅଧିକାରୀଙ୍କୁ ସମ୍ବୋଧିତ କରିଥିଲେ। ନୂଆ ଭାରତ ନିର୍ମାଣରେ ଆରଆଇଏନଏଲର ଭୂମିକା ଉପରେ ଆଲୋକପାତ କରିଥିଲେ। ଆରଆଇଏନଏଲ ସଂସ୍ଥା ଆଂଚଳିକ ଅର୍ଥନୀତିକୁ ମଜବୁତ୍ କରିବାରେ ସହାୟକ ହେଉଛି ବୋଲି ସେ କହିଥିଲେ।