ଖଣି ମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ, ମେଡିକାଲ କଲେଜ ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ

କେନ୍ଦୁଝର,ଏନ୍ଏନ୍ଏସ୍: ଓଡ଼ିଶା ସରକାରଙ୍କ ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମଲ୍ଲିକ ଶୁକ୍ରବାର କେନ୍ଦୁଝର ଗସ୍ତରେ ଆସି ଡିଏମ୍ଏଫ୍‌ ଅର୍ଥରେ ନିର୍ମାଣାଧୀନ କେନ୍ଦୁଝର ସରକାରୀ ମେଡିକାଲ କଲେଜ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏଥିସହ କେନ୍ଦୁଝର ଦରବାର ହଲରେ ଯୋଜନା ବୋର୍ଡ ବୈଠକରେ ଯୋଗଦେଇ ବିଭିନ୍ନ କାର୍ଯ୍ୟର  ସମୀକ୍ଷା କରିଥିବା ଜଣାପଡ଼ିଛି।

ଏହି ବୈଠକରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ପାଟଣା ବିଧାୟକ ଜଗନ୍ନାଥ ନାଏକ, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ, ଯୋଜନାବୋର୍ଡ଼ ସଦସ୍ୟ ଉପସ୍ଥିତ ଥିଲେ।