ବ୍ରହ୍ମପୁର,ଏନ୍ଏନ୍ଏସ୍: ମାଆ ଓ ପୁଅକୁ ଆକ୍ରମଣ ଘଟଣାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଏବଂ ପାତରଅନ୍ତର କରିଥିବା ନେଇ ଶେଷରେ ବାଧ୍ୟ ହୋଇ ମାଆ ଆଜି ବ୍ରହ୍ମପୁର ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଜାନୁୟାରୀ ୨୮ ତାରିଖରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନୀ ନିବାସୀ ବିଜେଡି ମହିଳା ନେତ୍ରୀ ମୀନାକ୍ଷି ମିଶ୍ର ଏବଂ ତାଙ୍କ ପୁଅ କୃତିବାସ ଓରଫ୍ ରାଜା ଏକ ଭୋଜି କାର୍ଯ୍ୟକୁ ଯାଉଥିବା ସମୟରେ ପୂର୍ବ ଯୋଜନା ମୁତାବକ ୧୦ରୁ ୧୫ଜଣ ଯୁବକ ତାଙ୍କୁ ମାରଣାସ୍ତ୍ର ଓ ବ୍ୟାଟରେ ଆକ୍ରମଣ କରିଥିଲେ। ଏଥିରେ ମାଆ ଓ ପୁଅ ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣାର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଥିଲେ। ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା।
ଏହି ଘଟଣାରେ ପୁଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଘଟଣାରେ ସଂପୃକ୍ତ ଥିବା କୃତିବାସକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ପକ୍ଷରେ ଆକ୍ରମଣ କରିଥିବା ଗୋଷ୍ଠୀର ୪ଜଣଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାକୁ ନେଇ ପୁଅ ନାମରେ ଯେଉଁ ଭଳି ପୁଲିସ ମିଥ୍ୟା ମାମଲା ରୁଜୁ କରି ଗିରଫ କରି କାର୍ଟ ଚାଲାଣ କରିଥିଲା। ମିଥ୍ୟା ଘଟଣାକୁ ନେଇ ପୁଅକୁ କୋର୍ଟ ଚାଲାଣ କରିଥିବା ନେଇ ନିନ୍ଦା କରିଥିଲେ।
ଚଳିତ ମାସ ୧୭ ତାରିଖ ଏହି ଘଟଣାକୁ ନେଇ ମହିଳାନେତ୍ରୀ ମୀନାକ୍ଷି ମିଶ୍ର ପୁଅ ନାମରେ ପୁଲିସ ମିଥ୍ୟା ଅଭିଯୋଗ ଓ ଷଡ଼ଯନ୍ତ୍ର କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ତାଙ୍କୁ ନ୍ୟାୟ ନମିଳିଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିବେ ବୋଲି ସୂଚନା ଦେଇଥିଲେ। ବୁଧବାର ମହିଳା ନେତ୍ରୀ ମୀନାକ୍ଷି ଏସପିଙ୍କୁ ଭେଟିବା ପାଇଁ କାର୍ଯ୍ୟାଳୟକୁ ଯାଇଥିବା ବେଳେ ଏସପି ଅନୁପସ୍ଥିତ ଯୋଗୁଁ କାର୍ଯ୍ୟାଳୟ ସମ୍ମୁଖରେ ସେ ନିଜେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ପୁଲିସ ଓ କିଛି ଲୋକ ଉଦ୍ଧାର କରି ବ୍ରହ୍ମପୁର ବଡ଼ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି। ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।