ଚାଷୀଙ୍କ ନାଁରେ ଜାଲିଆତି କରି ବ୍ୟାଙ୍କରୁ ଦୁର୍ବୁତ୍ତ ଉଠାଉଛନ୍ତି ଲକ୍ଷାଧିକ ଟଙ୍କା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଚାଷୀଙ୍କ ନାମରେ ଜାଲିଆତି କରି ଦୁର୍ବୁତ୍ତମାନେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏପରି ଛୁଆଲିବେର୍ଣ୍ଣା ଗ୍ରାମର ଚାଷୀ ଆନନ୍ଦ ଖମାରୀ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଆନନ୍ଦଙ୍କ କୌଣସି ଆକାଉଣ୍ଟ ନାହିଁ କି ସେ କେବେ ବ୍ୟାଙ୍କକୁ ଯାଇ ନାହାନ୍ତି। ହେଲେ ବ୍ୟାଙ୍କ ପକ୍ଷରୁ ତାଙ୍କ ନିକଟକୁ ଏକ ନୋଟିସ ଆସିଛି। ଏଥିରେ ଉଲ୍ଲେଖ ରହିଛି ଯେ, ଆନନ୍ଦ ବ୍ୟାଙ୍କରୁ ୫୦ ହଜାର ଟଙ୍କାର ଋଣ ନେଇଛନ୍ତି ଏବଂ ସୁଧ ମିଶାଇ ଏହା ୧ଲକ୍ଷ ୧୦ହଜାର ୯୨୩ ଟଙ୍କାରେ ପହଞ୍ଚି ସାରିଛି। ଯଦି ଏହି ଟଙ୍କା ଶୀଘ୍ର ପରିଶୋଧ କରାନଯାଏ ତେବେ ତାଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପ୍ରକାଶଯୋଗ୍ୟ, ୨୦୧୮ ମସିହାରେ ଉତ୍କଳ ଗ୍ରାମଣୀ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଋଣ ନେଇଥିବା ଆନନ୍ଦଙ୍କ ପାଖକୁ ଏକ ନୋଟିସ ଆସିଥିଲା। ସେହି ସମୟରେ ଆନନ୍ଦ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଲିଖିତ ଭାବରେ ଜଣାଇଥିଲେ ଯେ, ତାଙ୍କର ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ କୌଣସି ଆକାଉଂଟ ନାହିଁ ଏବଂ ସେ କୌଣସି ଋଣ ନେଇ ନାହାନ୍ତି। ପରେ ବ୍ୟାଙ୍କ ପକ୍ଷରୁ ତାଙ୍କୁ କୌଣସି ନୋଟିସ ଯାଇନଥିଲା। ହେଲେ ହଠାତ ଏବେ ୩ବର୍ଷ ପରେ ପୁଣି ତାଙ୍କୁ ବ୍ୟାଙ୍କ ଏକ ନୋଟିସ ପ୍ରଦାନ କରି ୧ଲକ୍ଷ ୧୦ହଜାର ୯୨୩ ଟଙ୍କା ପରିଶୋଧ କରିବା ପାଇଁ ଚେତାବନୀ ଦେଇଛି। ତେବେ ଆନନ୍ଦ ଟଙ୍କା ଉଠାଣ କରିନଥିଲେ ହେଁ ତାଙ୍କ ପାଖକୁ ବ୍ୟାଙ୍କ ବାରମ୍ବାର ନୋଟିସ ଦେଇ ଟଙ୍କା ପରିଶୋଧ କରିବା ପାଇଁ କହୁଥିବାରୁ ସେ ବହୁ ମାନସିକ ଚାପରେ ଥିବା ପ୍ରକାଶ କରିଛନ୍ତି। ତେଣୁ ବ୍ୟାଙ୍କ କର୍ତୃପକ୍ଷ ତାଙ୍କୁ ଏହି ଋଣ ପରିଶୋଧ କରିବା ପାଇଁ ପଠାଉଥିବା ନୋଟିସ ବନ୍ଦ କରିବା ସହ ତାଙ୍କ ନାମରେ ଜାଲିଆତି କରି ଟଙ୍କା ଉଠାଇଥିବା ଦୁର୍ବୁତ୍ତକୁ ଖୋଜି ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଆନନ୍ଦ ଦାବି କରିଛନ୍ତି। ଅନ୍ୟପଟେ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଏପରି ଅନେକ ନିରୀହ ଲୋକଙ୍କ ନାମରେ ଦୁର୍ବୁତ୍ତମାନେ ଜାଲିଆତି କରି ଟଙ୍କା ଉଠାଇଥିବା ଜଣାପଡ଼ିଛି। ତେବେ ଏନେଇ ବ୍ୟାଙ୍କ କର୍ତୃପକ୍ଷଙ୍କୁ ପଚାରିବାରୁ ଏହି ଘଟଣାର ପୁଣି ତଦନ୍ତ କରାଯାଇ ଏପ୍ରିଲ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।