ମିଲ୍କ ମୁଁ କ୍ଷୀରରୁ ଲୁଗା ସଫା ପାଉଡର ଭଳି ଦୁର୍ଗନ୍ଧ ବାହାରୁଥିବା ଅଭିଯୋଗ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବିକ୍ରି ହେଉଥିବା ମିଲ୍କ ମନ୍ତ୍ରା ଡାଏରୀ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ପ୍ରସ୍ତୁତ ହେଉଥିବା ବିଭିନ୍ନ ଜିନିଷକୁ ନେଇ ଏକ ଗୁରୁତର ଅଭିଯୋଗ ହସ୍ତଗତ ହୋଇଛି । ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା କ୍ଷୀର, ଦହି ଓ ପନିରରେ ବ୍ୟାପକ ଅପମିଶ୍ରଣ ସାଙ୍ଗକୁ ତଟକା ସଜ ଜିନିଷରେ ବିଭିନ୍ନ ପ୍ରକାର ଦୁର୍ଗନ୍ଧ ହେଉଥିବା ମଧ୍ୟ ବହୁ ଗ୍ରାହକ ଅଭିଯୋଗ ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଶେଷ କରି ଅଧିକାଂଶ ଦିନ ମିଲ୍କ ମୁଁ କମ୍ପାନୀର କ୍ଷୀର ପ୍ୟାକେଟ ସଜ ତାରିଖର ହେବା ସତ୍ୱେ ଫୁଟାଇଲା ବେଳକୁ ଲୁଗା ସଫା ପାଉଡର ଭଳି ଏକ ଦୁର୍ଗନ୍ଧ ବାହାରିବା ସହ ସିଝାଇବା ସମୟରେ ହିଁ ଛିଡ଼ି ଯାଉଛି । ଆଉ ବେଳେବେଳେ କ୍ଷୀର ପ୍ୟାକେଟରୁ ଦହି ବାହାରୁଛି ଓ ଦହି ପ୍ୟାକେଟରୁ କ୍ଷୀର ବାହାରୁଛି । ସଜ ତାରିଖର ପନିରଗୁଡ଼ିକ ମଧ୍ୟ ଆମ୍ବିଳା ବାସିବା ସହ ଏକ ପ୍ରକାର ଦୁର୍ଗନ୍ଧ ବାହାରୁଥିବା ଅଭିଯୋଗ ହୋଇଛି । ବିକ୍ରେତା କମ୍ପାନୀକୁ ଏସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳି ପାରିନାହିଁ । ଏନେଇ ଶରତ ପୂଜାରୀ, ପୂର୍ଣ୍ଣ ଚନ୍ଦ୍ର ନାୟକ, ବିରଞ୍ଚି ବେହେରା ଓ କିଛି ମେଡିକାଲ କର୍ମଚାରୀମାନେ ଅଭିଯୋଗ କରିବା ସହ ଖାଉଟି ସୁରକ୍ଷା ବିଭାଗର ଆଶ୍ରୟ ନେବେ ବୋଲି ଜଣାଇଛନ୍ତି । ଏସମ୍ପର୍କରେ କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଥିବା କମ୍ପାନୀର ମାର୍କେଟିଂ ଅଧିକାରୀ ବୈଦ୍ୟନାଥ ଗୌଡ଼ଙ୍କୁ ପଚାରବାରୁ କମ୍ପାନୀକୁ ଜଣାଇଛୁ, ତଦନ୍ତ ପରେ ଜଣାପଡ଼ିବ ବୋଲି ସଫେଇ ଦେଇଛନ୍ତି ।