ଜାନୁଆରୀ ୯ରେ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା, ଆବେଦନ ତାରିଖ ନଭେମ୍ବର ୫କୁ ବୃଦ୍ଧି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସର୍ବଭାରତୀୟସ୍ତରରେ ଥିବା ସୈନିକ ସ୍କୁଲଗୁଡିକରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ଆସନ୍ତା ଜାନୁଆରୀ ୯ ତାରିଖରେ ଅନୁଷ୍ଠିତ ହେବ। ଏହି ପ୍ରବେଶିକା ପରୀକ୍ଷାକୁ ଏନ୍‌ଟିଏ(ନ୍ୟାସନାଲ ଟେଷ୍ଠିଂ ଏଜେନ୍ସି) ପରିଚାଳନା କରିବ। ତେବେ ପ୍ରବେଶିକା ପରୀକ୍ଷା ଲାଗି ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟସୀମାରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଅନ୍‌ଲାଇନ୍‌ରେ ଆବେଦନ କରିବା ଲାଗି ଶେଷ ତାରିଖ ଅକ୍ଟୋବର ୨୬ତାରିଖ ଧାର୍ଯ୍ୟ ହୋଇଥିଲା । ବର୍ତ୍ତମାନ ଏହି ତାରିଖକୁ ନଭେମ୍ବର ୫ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସେହିପରି ଫି’ ପୈଠ କରିବା ଲାଗି ଶେଷ ତାରିଖ ଅକ୍ଟୋବର ୨୬ ରାତି ୧୧ଟା୫୦ ଧାର୍ଯ୍ୟ ହୋଇଥିବା ବେଳେ ଏହାକୁ ନଭେମ୍ବର ୫ତାରିଖ ରାତି ୧୧ଟା୫୦ ପର୍ଯ୍ୟନ୍ତ ମଧ୍ୟ ବମାଇ ଦିଆଯାଇଛି। ସେହିପରି ଆବେଦନ ଫର୍ମରେ ସଂଶୋଧନ ପ୍ରକ୍ରିୟା ଲାଗି ଅକ୍ଟୋବର ୨୮ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ବେଳେ ଏହାକୁ ନଭେମ୍ବର ୭ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ କରାଯିବ ବୋଲି ଏନ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶଥାଉ କି, ଦେଶରେ ୩୩ଟି ସୈନିକ ସ୍କୁଲ ରହିଛି। ସେଥିରୁ ଉତ୍ତରପ୍ରଦେଶରେ ସର୍ବାଧିକ ୩ଟି ସ୍କୁଲ ରହିଥିବା ବେଳେ ଆନ୍ଧ୍ରପ୍ରଦେଶ, ବିହାର, ହରିଆଣା, କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡ଼ିଶା ଏବଂ ରାଜସ୍ଥାନରେ ୨ଟି ଲେଖାଏଁ ସୈନିକ ସ୍କୁଲ ରହିଛି। ୨୦୨୨ ଶିକ୍ଷାବର୍ଷ ଲାଗି ଉଭୟ ଷଷ୍ଠ ଏବଂ ନବମ ଶ୍ରେଣୀରେ ନାମଲେଖା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରବେଶିକା ପରୀକ୍ଷାରେ ୬ଷ୍ଠ ଲାଗି ୩୦୦ ମାର୍କ ଏବଂ ନବମ ଶ୍ରେଣୀ ନାମଲେଖା ଲାଗି ୪୦୦ମାର୍କର ପରୀକ୍ଷା କରାଯିବ।